୨.୬୦ କୋଟି ଟଙ୍କା ଚଳୁ: ସିନିୟର ଆସିଷ୍ଟାଣ୍ଟ ଗିରଫ

ଯୋଗ୍ୟତାଠାରୁ ଅଧିକ ଦରମା ବାବଦରେ ୧୦.୫୮ ଲକ୍ଷ ହଡ଼ପ

ବଲାଙ୍ଗିର, ୨୫/୧୦: ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଏଫ୍‌ଓ କାର୍ଯ୍ୟାଳୟରେ ୨.୬୦ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଜଣେ ସିନିୟର ଆସିଷ୍ଟାଣ୍ଟ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ବବୁଲୁ ସୁନା। ପ୍ରାୟ ୬ ମାସ ଧରି ଫେରାର ରହିବା ପରେ ଭିଜିଲାନ୍ସ ତାଙ୍କୁ ବଲାଙ୍ଗିରରୁ ଗିରଫ କରିଛି। MACP/RACP ଯୋଜନାରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ଆତ୍ମସାତ୍ କରୁଥିଲେ।

ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ବବୁଲୁ ସୁନା ଡିଏଫ୍‌ଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର ଦାୟିତ୍ୱରେ ଥିବାରୁ ନିଜ ପଦର ଅପବ୍ୟବହାର କରି ୨୦୨୩ ମସିହାରୁ ଏହି ଆର୍ଥିକ ଅନିୟମିତତା କରୁଥିଲେ। ସେ MACP ଓ RACP ଯୋଜନା ଅଧୀନରେ କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ ନାମରେ ଜାଲ୍ ବିଲ୍ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ବନ୍ୟପ୍ରାଣୀ ବିଭାଗର ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟ ଏବଂ ତଥ୍ୟ ବ୍ୟବହାର କରି ଜାଲ୍ ବିଲ୍ ଜରିଆରେ ସରକାରୀ ଅର୍ଥକୁ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଥିଲେ।

ଭିଜିଲାନ୍ସର ଅଭିଯୋଗ ଅନୁଯାୟୀ, ଜାଲ୍ ବିଲ୍ ମାଧ୍ୟମରେ ହଡ଼ପ କରାଯାଇଥିବା ଟଙ୍କା ଅଭିଯୁକ୍ତଙ୍କ ପତ୍ନୀ, ଭାଇ, ଭଉଣୀ ଏବଂ ଅନ୍ୟ ଦୁଇଜଣ ଘନିଷ୍ଠ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥିବା ତଦନ୍ତରେ ସାମ୍ନାକୁ ଆସିଛି। ଏହା ସହିତ ନିଜର ଦରମା ବୃଦ୍ଧି ସମ୍ପର୍କିତ ସରକାରୀ ରେକର୍ଡରେ ମଧ୍ୟ ହେରଫେର କରିଥିଲେ। ନିଜର ନିୟମିତ ଦରମା ବୃଦ୍ଧିର ଯୋଗ୍ୟତାଠାରୁ ଅଧିକ ଟଙ୍କା ପାଇବା ପାଇଁ ସେ ରେକର୍ଡରେ ଅନିୟମିତତା କରିଥିଲେ। ଏହାଦ୍ୱାରା ଅତିରିକ୍ତ ଦରମା ବାବଦରେ ୧୦ ଲକ୍ଷ ୫୮ ହଜାର ଟଙ୍କାରୁ ଅଧିକ ଅର୍ଥ ନେଇଛନ୍ତି।

ତେବେ ଗତ ୬ ମାସ ଧରି ଫେରାର ହେବା ପରେ ଶନିବାର ରାତିରେ ତାଙ୍କୁ ବଲାଙ୍ଗିରରୁ କରିଛି ଭିଜିଲାନ୍ସ।