ନୂଆଦିଲ୍ଲୀ, ୨୫/୧୦: ଦେଶରେ ନିଶା କାରବାର ବିରୋଧରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ‘ଅପରେସନ୍ ଟ୍ରାଇଡେଣ୍ଟ’ ନାମରେ ଅକ୍ଟୋବର ୨୩ ତାରିଖରେ ଉତ୍ତର-ପୂର୍ବ ଭାରତର ଆସାମ, ମିଜୋରାମ ଓ ମଣିପୁରର ୩୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଅଭିଯାନରେ ୧୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୧୦୦ କୋଟି ଟଙ୍କାର ‘ହୱାଲା’ କାରବାର ଧରାପଡିଛି। ହୱାଲା ଅର୍ଥ ହେଉଛି ବ୍ୟାଙ୍କ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର ନ କରି ଅନ୍ୟ ଉପାୟରେ ଅର୍ଥ ସ୍ଥାନାନ୍ତର କରିବା। ଏଥିସହ ୧,୪୨୪ଟି ବ୍ୟାଙ୍କ ଖାତା ଫ୍ରିଜ୍ କରାଯାଇଛି ଏବଂ ୧୭.୮୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ନେଇ ସୂଚନା ଦେଇଛନ୍ତି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣକାରୀ ଗୋଷ୍ଠୀର ନେଟୱର୍କକୁ ଭାଙ୍ଗିବା ଏବଂ ଏହାର ଆର୍ଥିକ କାରବାର ଉପରେ ରୋକ୍ ଲଗାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ଥିଲା। କେନ୍ଦ୍ରୀୟ ଏଜେନ୍ସି ଓ ତିନି ରାଜ୍ୟର ପୁଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।
ଅପରେସନ୍ ଟ୍ରାଇଡେଣ୍ଟ ସମୟରେ ୧୨ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ଚଢ଼ାଉ ସମୟରେ ୫୦୦ଟି ଡିଟୋନେଟର ମଧ୍ୟ ଜବତ କରାଯାଇଛି।
ଗୃହମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ଅନ୍ତର୍ଜାତୀୟ ନିଶା କାରବାର ନେଟୱର୍କ ଭାରତ, ମିଆଁମାର ଓ ବାଂଲାଦେଶ ସୀମା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିଲା। ଏହି ଅଞ୍ଚଳ ଦେଇ ନିଶାଦ୍ରବ୍ୟ ଚାଲାଣ କରାଯାଉଥିଲା। ଆନ୍ତର୍ଜାତୀୟ ନିଶା କାରବାର ରୋକିବାରେ ଏହା ଏକ ବଡ଼ ପଦକ୍ଷେପ।