ଜନ ସମ୍ପର୍କ ପଦଯାତ୍ରାରେ ବିଜେପି ସରକାରଙ୍କ ଉପରେ ବର୍ଷିଲେ ସୁଜାତା

ସଂଶୋଧିତ ଏମ୍ଏମ୍ଡିଆର ଆଇନ ଯୋଗୁ ଓଡିଶାର ଖଣି ଅଧିକାର କେନ୍ଦ୍ର ହାତକୁ ଟେକି ଦିଆଗଲା

ନାରୀ ନିର୍ଯାତନା ଶିଖର ଛୁଇଁଥିଲା ବେଳେ ନାରୀ ସଶକ୍ତିକରଣ ଠପ

ଭୁବନେଶ୍ୱର, ୨୭/୧୦: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଠାରେ ବିଜେଡି ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଦଯାତ୍ରାରେ ବରିଷ୍ଠ ବିଜେଡି ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ଯୋଗ ଦେଇଥିଲେ । ବିଶାଳ ଜନ ସମ୍ପର୍କ ପଦଯାତ୍ରା ଶିବ ମନ୍ଦିର ନିକଟରୁ ବାହାରି ବସ ଷ୍ଟାଣ୍ଡ ହୋଇ ସହର ପରିକ୍ରମା କରି ଆରଏମସି ଠାରେ ଶେଷ ହୋଇଥିଲା । ସେଠାରେ ଏକ ବିଶାଳ ଜନ ସଭାର ଆୟୋଜନ କରାଯାଇଥିଲା ।

ଡୁଙ୍ଗୁରିପାଲି ବ୍ଲକ ସଭାପତି ଶ୍ରୀ ହିଂମାଶୁ ଶେଖର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ରାଉତ କହିଛନ୍ତି ଯେ, ଏମଏମଡିଆର ଆଇନ ଯୋଗେ ଓଡିଶାର ଖଣି ଅଧିକାରକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦିଆଗଲା । କୋଟିଆ ପ୍ରସଙ୍ଗରେ ଚୁପ ରହି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ କୋଟିଆ ସମର୍ପଣ କରି ଦେଇଛନ୍ତି । ମହାନଦୀ ଜଳ ମଧ୍ୟ ଛତିଶଗଡକୁ ଦେବାକୁ ବିଜେପି ସରକାର ଚକ୍ରାନ୍ତ ଚଳାଇଛନ୍ତି । ବିଜେପି ସରକାରଙ୍କ ଓଡିଆ ଅସ୍ମିତାକୁ ଓଡିଶାବାସୀ ଜାଣି ସାରିଲେଣି । ତାହାକୁ ହୃଦୟଙ୍ଗମ କରି ସାରିଲେଣି । ଓଡିଶାର ଜଳ, ଜଙ୍ଗଲ, ମାଟି ସବୁ ଲୁଣ୍ଠିତ ହେଉଛି । ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇଲେ ନାହିଁ । ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀ ସଶକ୍ତିକରଣ ହଜି ଯାଇଛି । ଠିକଣା ସମୟରେ ଏହାର ଜବାବ ରାଜ୍ୟ ବାସୀ ଦେବେ ବୋଲି କହିଛନ୍ତି ।

ହଜାର ହଜାର ସଂଖ୍ୟକ ଜନସାଧାରଣଙ୍କ ସମାଗମରେ ବିଶାଳ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଜନ ସମ୍ପର୍କ ପଦଯାତ୍ରା ଯୋଗେ ବିଜେଡି ଲୋକଙ୍କ ନିକଟରେ ପହଞ୍ଚି ବିଜେପି ସରକାରଙ୍କ ବିଫଳତା ଜଣାଇଥିଲେ । ଡବଲ ଇଞ୍ଜିନ ସରକାରରେ ଓଡିଶାବାସୀ ବାରମ୍ବାର ଉପେକ୍ଷିତ ହେଉଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ଲୋକ ଲୋଚନକୁ ଆଣିଛନ୍ତି । ଡବଲ ଇଞ୍ଜିନ ସରକାର ନିର୍ବାଚନ ସମୟରେ ଲୋକ ମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା । ତାହାକୁ ଗତ ଅଢ଼େଇ ବର୍ଷ ମଧ୍ୟରେ ପୂରଣ କରିଲା ନାହିଁ । ଚାଷୀ, ଯୁବ, ଛାତ୍ର, ନାରୀ, ଆଦିବାସୀ, ଦଳିତ, ସଂଖ୍ୟା ଲଘୁ ଆଦି ସମସ୍ତ ବର୍ଗର ଲୋକେ ପ୍ରତାରଣାର ଶିକାର ହୋଇଛନ୍ତି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନାରୀ ନିର୍ଯାତନା ବୃଦ୍ଧି ପାଉଛି । କେନ୍ଦ୍ର ସରକାର ଏମଏମଡିଆର ଆକ୍ଟ ଜରିଆରେ ସଂଘୀୟ ବ୍ୟବସ୍ଥାର ହତ୍ୟା କରି ଓଡ଼ିଶାର ଅର୍ଥନୈତିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ରାଜ୍ୟବାସୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ ସମୟର ଓଡ଼ିଶାର ବିକାଶ ଧାରାକୁ ମନେ ପକାଉଛନ୍ତି । ଡବଲ ଇଞ୍ଜିନ ସରକାର ପ୍ରତି ଜନସାଧାରଣଙ୍କ ଅନେକ ରୋଷ ରହିଛି । ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବିଜେପି ସରକାରରେ ଲୋକେ ପ୍ରତାରିତ ହେଉଛନ୍ତି । ଓଡ଼ିଶାବାସୀଙ୍କ ଭାଗ୍ୟ ଭବିଷ୍ୟତକୁ ବିଜେପି ସରକାର ଉପେକ୍ଷିତ କରିଛନ୍ତି । କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ବିଧାୟକ ସୁଦର୍ଶନ ହରିପାଲ, ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନି ଛୁରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ଦୀପାଳି ଦାସ ସମେତ ପଶ୍ଚିମ ଓଡ଼ିଶାର ଅନେକ ବିଧାୟକ, ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।