ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ

ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର, ୨୭/୧୦: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଛି। ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଏହି ଘୂର୍ଣ୍ଣିଝଡ଼ର ପ୍ରଭାବରେ ଆଜି ସକାଳୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା, ପବନ, ଘଡ଼ଘଡ଼ି ଓ ବିଜୁଳି ଦେଖିବାକୁ ମିଳିଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ମଝିରେ ମଝିରେ ପ୍ରବଳ ବର୍ଷା ହେଉଛି।

ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା ନେଇ ସତର୍କ କରାଯାଇଛି। ଏଥିସହ ଋଷିକୁଲ୍ୟା ନଦୀ ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ ଛୋଟ ନଦୀଗୁଡ଼ିକରେ ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ଗଞ୍ଜାମରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିଲିକା ସମେତ ଅନ୍ୟ ଜଳାଶୟରେ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ଓ ଜଳାଶୟଗୁଡ଼ିକର ସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି।

ପାଣିପାଗ ସୂଚନା ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ବାପଟ୍‌ଲା ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।