କୋଟିଆ ବିବାଦ: ନବୀନଙ୍କ ଚିଠିର ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ରାଜନୀତି ନୁହେଁ ଆଇନଗତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ
ଭୁବନେଶ୍ୱର, ୨୭।୧୦: କୋଟିଆ ସୀମା ବିବାଦକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ପରିବର୍ତ୍ତେ ଆଇନଗତ ଓ ଗଠନମୂଳକ ଉପାୟରେ ସମାଧାନ କରିବା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି। କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ। ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
କୋଟିଆ ପ୍ରସଙ୍ଗରେ ନବୀନଙ୍କ ପତ୍ରର ଆଭିମୁଖ୍ୟକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଏହି ସମ୍ବେଦନଶୀଳ ସମସ୍ୟାର ସମାଧାନ ପାଇଁ ରାଜନୈତିକ ମତଭେଦ ଅପେକ୍ଷା ଆଇନସମ୍ମତ ଓ ଗଠନମୂଳକ ପଦକ୍ଷେପ ଅଧିକ ଜରୁରୀ।
୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନଠାରୁ କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ଭାବେ ରହିଆସିଛି। ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ଆଇନସମ୍ମତ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ସମସ୍ତ ଆଇନଗତ ଓ ସାମ୍ବିଧାନିକ ମଞ୍ଚରେ ନିଜର ପକ୍ଷ ରଖିବାକୁ ପ୍ରତିଶ୍ରୁତିବଦ୍ଧ।
କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ବିକାଶକୁ ମଧ୍ୟ ସରକାର ପ୍ରାଥମିକତା ଦେଉଥିବା ଚିଠିରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶ କାର୍ଯ୍ୟର ତଦାରଖ କରୁଛି।
ସେହିପରି କୋଟିଆ ଅଞ୍ଚଳରେ ସରକାରୀ ସେବାର ସୁବିଧା ବଢ଼ାଇବା, ସ୍ଥାନୀୟ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ନିୟମିତ ଭାବେ ଏହି ଅଞ୍ଚଳ ଗସ୍ତ କରୁଛନ୍ତି। ବିକାଶମୂଳକ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବା ସହ ଲୋକଙ୍କ ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
ଦୀର୍ଘଦିନ ଧରି ଚାଲିଥିବା ଏହି ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ସମସ୍ତ ପକ୍ଷ ସଂଯମ, ଦାୟିତ୍ୱବୋଧ ଓ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ରଖି କାର୍ଯ୍ୟ କରିବା ଉଚିତ। ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକଙ୍କ ପାଖରେ କୌଣସି ଗଠନମୂଳକ ପରାମର୍ଶ ଥିଲେ ତାହା ସରକାରଙ୍କୁ ଦେବାକୁ ସେ କହିଛନ୍ତି।
