ଆମେ ସମସ୍ତେ ମିଳିତ ଭାବେ ପ୍ରାକୃତିକ ଦୁର୍ବିପାକ “ବାତ୍ୟା ଅର୍ଣ୍ଣବ” ର ମୁକାବିଲା କରିବା: ମନମୋହନ ସାମଲ
ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର, ୨୭/୧୦: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ” ର ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ବାତ୍ୟାକୁ ନେଇ କେହି ମଧ୍ୟ ଭୟଭୀତ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ । ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସତର୍କତା ସୂଚନା ଏବଂ ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀ ଏବଂ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତଙ୍କର ମିଳିତ ସହଯୋଗ ନିହାତି ଆବଶ୍ୟକ । ତେଣୁ ସରକାର ଓ ପ୍ରଶାସନର ନିର୍ଦ୍ଦେଶକୁ ମାନି ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବାରେ ସହଯୋଗ କରନ୍ତୁ ।ବିଜେପିର ସମସ୍ତ କର୍ମୀ ଓ ପଦାଧିକାରୀମାନେ ନିଜ ନିଜ ଅଂଚଳରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାରେ ପ୍ରଶାସନକୁ ସହଯୋଗ କରନ୍ତୁ । ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପହଂଚାଇବାରେ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟ ସରକାର ଜନସାଧାରଣଙ୍କ ଜୀବନ ଓ ସମ୍ପତି ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି । ଆମେ ସମସ୍ତେ ମିଳିତ ଭାବେ ଏହି ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ବୋଲି ଶ୍ରୀ ସାମଲ କହିଛନ୍ତି ।