ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା କାର୍ଯ୍ୟକ୍ରମ
ପାରାଦୀପ ପୋର୍ଟ କର୍ତ୍ତୃପକ୍ଷଙ୍କ ଦ୍ୱାରା ‘ସଚେତନତା ରଥ’, ‘ୱାକାଥନ୍’ ଓ ନାଟକ ପ୍ରଦର୍ଶିତ
ପାରାଦୀପ, ୨୭/୧୦: ସାଧାରଣ ସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ନିବାରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ପକ୍ଷରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଚାଲିଥିବା ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ‘ଷ୍ଟ୍ରାଇଡ୍ ଫର୍ ଇଣ୍ଟେଗ୍ରିଟି’ ପଦଯାତ୍ରା, ସତର୍କତା ରଥ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ଦୁର୍ନୀତି ବିରୋଧରେ ସଚେତନ କରାଯାଇଛି।
ପାରାଦୀପ ବନ୍ଦରର ମୁଖ୍ୟ ସତର୍କତା ଅଧିକାରୀ ଆର୍.ଏନ୍. ଅବନିକାନ୍ତ ପରିଡ଼ା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତଙ୍କ ବାର୍ତ୍ତା ମଧ୍ୟ ପ୍ରଚାର କରାଯାଇଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବନ୍ଦର ଅଧିକାରୀ କ୍ଲବ୍ ଓ ଟାଉନସିପ୍ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବନ୍ଦରର ଅଧିକାରୀ ଓ କର୍ମଚାରୀ, ସିଆଇଏସ୍ଏଫ୍ ଯବାନ, ବନ୍ଦର ବ୍ୟବହାରକାରୀ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ।
ପଦଯାତ୍ରା ମାଧ୍ୟମରେ ନୈତିକ ଆଚରଣ, ସ୍ୱଚ୍ଛତା ଏବଂ ଦୁର୍ନୀତି ରୋକିବାରେ ସମସ୍ତଙ୍କ ସାମୂହିକ ଦାୟିତ୍ୱ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। ଏଥିସହ ସତର୍କତା ରଥ ମାଧ୍ୟମରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଦୁର୍ନୀତି ବିରୋଧୀ ସଚେତନତା ସୃଷ୍ଟି କରାଯାଇଥିଲା।
ଅନ୍ୟପକ୍ଷରେ, ସାଂସ୍କୃତିକ ଅନୁଷ୍ଠାନ କାନମାସ୍ ପକ୍ଷରୁ ‘ଏପଟ ଦେଖ୍, ସେପଟ ଦେଖ୍’ ଶୀର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ପାରାଦୀପର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟ ଏବଂ କବରଖାନା ବଜାରରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକ ମାଧ୍ୟମରେ ଦୁର୍ନୀତିର କୁପ୍ରଭାବ ଦର୍ଶାଇବା ସହ ନୈତିକ ଆଚରଣ, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ରୋକିବା ପାଇଁ ସାମୂହିକ ପ୍ରଚେଷ୍ଟାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।