୨ ଘଣ୍ଟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅର୍ଣ୍ଣବ

ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ପ୍ରଭାବ

ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୫-୧୨୫ କିମି ରହିବ

ଭୁବନେଶ୍ୱର, ୨୮/୧୦: ଅତିଭୀଷଣ ବାତ୍ୟା ଅର୍ଣ୍ଣବର ଚାଲିଛି ଲ୍ୟାଣ୍ଡଫଲ ପ୍ରକ୍ରିୟା। ଆସନ୍ତା ୨ ଘଣ୍ଟା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବା ବେଳେ, ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଏପରିକି ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୪୦ କିଲୋମିଟର ଛୁଇଁବାର ଆଶଙ୍କା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ଏହି ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇନାହିଁ। ଲ୍ୟାଣ୍ଡଫଲ୍ ସମୟରେ ପ୍ରବଳ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟାର ଗତିପଥ ଓ ତୀବ୍ରତା ଅନୁସାରେ ପ୍ରଭାବିତ ଅଞ୍ଚଳରେ ପାଗର ସ୍ଥିତି ବଦଳିପାରେ।

ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ମୁହାଁଇବା ସମୟରେ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଝଡ଼ପବନ ହେବାର ଆଶଙ୍କା ରହିଛି। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ। ଏହା ସହ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବା ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, କେତେକ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ରହିପାରେ। ଝଟ୍‌କା ପବନର ବେଗ ୮୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିପାରେ। ଫଳରେ ଗଛ ଭାଙ୍ଗିବା, ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍‌ର ଆଶଙ୍କା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏହି ବିପଦ ଅଧିକ ରହିପାରେ। ବାତ୍ୟାର ପ୍ରଭାବ କେବଳ ଦକ୍ଷିଣ ଓଡ଼ିଶାରେ ସୀମିତ ରହିବ ନାହିଁ। ଧୀରେ ଧୀରେ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ ବଢ଼ିପାରେ।