କେନ୍ଦ୍ରାପଡ଼ା, ୩୦/୧୦: କେନ୍ଦ୍ରାପଡ଼ା ଜିଲ୍ଲାରେ ଲୁଣା ନଦୀ ପଠାରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ଶୁକ୍ରବାର ସକାଳେ ମହାକାଳପଡ଼ା ନିକଟସ୍ଥ ମହାରାକୁଳ ଗାଁର ନଦୀବନ୍ଧ ପାଖରେ ଏହି ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରକ୍ତ ଦାଗ ଥିବା ସହ ମୃତଦେହ ନିକଟରୁ ଦୁଇଟି ଚପଲ ମିଳିଥିବାରୁ ଘଟଣାକୁ ନେଇ ସନ୍ଦେହ ବଢ଼ିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ମହାରାକୁଳ ଗାଁ ନିକଟ ଲୁଣା ନଦୀବନ୍ଧ ଦେଇ କେତେକ ସ୍ଥାନୀୟ ଲୋକ ଯାଉଥିବା ସମୟରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ପାଇଥିଲେ। ଏହା ଦେଖି ଲୋକେ ଭୟଭୀତ ହେବା ସହ ତୁରନ୍ତ ପୁଲିସକୁ ଜଣାଇଥିଲେ। ଖବର ପାଇ କୁଦାନଗରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ମୃତଦେହ ନିକଟରେ ଦୁଇଟି ଚପଲ ପଡ଼ିଥିବା ବେଳେ ନଦୀବନ୍ଧ ଉପରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଥିଲା। ମୃତ ମହିଳାଙ୍କ କୌଣସି ପରିଚୟପତ୍ର, ବ୍ୟାଗ୍ କିମ୍ବା ଅନ୍ୟ ସାମଗ୍ରୀ ମଧ୍ୟ ମିଳିନାହିଁ।
ସ୍ଥାନୀୟ ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବା ବେଳେ ପୁଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।