ରାୟଗଡା, ୩୦/୧୦(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରେଲୱେ କଲୋନୀ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ଘର ସମ୍ମୁଖରେ ଥିବା ଖୋଲା ପାଇଖାନା ଟାଙ୍କିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ବାଘଡଙ୍ଗରି ଗ୍ରାମର ଗରିବ ବାଗ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗରିବ ଘରୁ ବାହାରି ଯାଇଥିଲେ। ରାତିରେ ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ଏକ ଖୋଲା ପାଇଖାନା ଟାଙ୍କିର ପାଣିରେ ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖିବା ପରେ ଅମ୍ବାଦଳା ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛି। ତେବେ ଗରିବଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ପରିବାର ଲୋକେ ଏହାକୁ ହତ୍ୟା ବୋଲି ସନ୍ଦେହ କରି ଅଭିଯୋଗ ଆଣିଛନ୍ତି। ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ। ଏହି ଘଟଣାକୁ ନେଇ ଅମ୍ବାଦଳା ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।