ଡେରାଡୁନ, ୩୦/୧୦: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାସ୍ଥିତ ଯୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣା ଘଟିଛି । ବଦ୍ରିନାଥରୁ ଡେରାଡୁନ୍ ଅଭିମୁଖେ ଯାଉଥିବା ଏହି ହେଲିକପ୍ଟରଟି କ୍ରାସ୍ ହେବା ଫଳରେ ସେଥିରେ ଥିବା ସମସ୍ତ ୫ ଜଣ ଯାତ୍ରୀ ଓ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି ।
ଘରୋଇ ସଂସ୍ଥା ଟ୍ରାନ୍ସ ଭାରତ ଏଭିଏସନର ଏହି ହେଲିକପ୍ଟରଟି ଅପରାହ୍ନ ପ୍ରାୟ ୧:୧୪ ମିନିଟ୍ରେ ବଦ୍ରିନାଥରୁ ଡେରାଡୁନ୍ର ସହସ୍ରଧାରା ହେଲିପୋର୍ଟ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ଯୋଶୀମଠ ନିକଟସ୍ଥ ହାତୀ ପର୍ବତ ଏବଂ ଚାଇଁ ଗାଁ ଆଖପାଖ ଅଞ୍ଚଳରେ ଏହାର ଜିପିଏସ୍ ଟ୍ରାକିଂ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅଞ୍ଚଳରେ ପ୍ରବଳ ବର୍ଷା, ବରଫପାତ ଏବଂ ଖରାପ ଦୃଶ୍ୟମାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୫ ଜଣ ଯାତ୍ରୀ କର୍ଣ୍ଣାଟକର ବେଙ୍ଗଳୁରୁର ବୋଲି ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କର୍ଣ୍ଣାଟକ ପୋଲିସର ଜଣେ ଇନ୍ସପେକ୍ଟର ଅରୁଣ ମଧ୍ୟ ସାମିଲ ଅଛନ୍ତି। ପାଇଲଟ୍ କ୍ୟାପ୍ଟେନ୍ ହିମାଂଶୁଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଯାତ୍ରୀମାନେ ହେଲେ ପ୍ରତାପ, ଶଙ୍କର ଗୌଡ଼ା, ସୁଧୀର କେ ଓ ଏଚ୍.ଏସ୍. ନଟରାଜ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ସେନା, ଏସଡିଆରଏଫ, ଆଇଟିବିପି ଏବଂ ସ୍ଥାନୀୟ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନ ଓ ଏସଡିଆରଏଫ ଟିମ୍କୁ ଦ୍ରୁତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।