ଭଜନ ସମ୍ରାଟଙ୍କ ସଂଗୀତରେ ମନ ମୋହିଲେ ନୃତ୍ୟ ଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ
କଟକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଭିକାରୀ ବଳଙ୍କ ଷୋଡଶ ପୁଣ୍ୟତିଥି ଅନୁଷ୍ଠିତ
କଟକ, ୦୩/୧୧: ଭଜନ ସମ୍ରାଟ ଶ୍ରୀ ଭିକାରୀ ବଳଙ୍କ ଷୋଡଶ ପୁଣ୍ୟତିଥି “ଭିକାରୀ ବଳ ସ୍ମୃତି ସଂସଦ” ତରଫରୁ କଟକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ମହାସମାବେଶରେ ଅନୁଷ୍ଠିତ ହୋଇଛି। ଅନ୍ତର୍ଜାତୀୟ ସୁଖ୍ୟାତି ସମ୍ପନ୍ନ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ସ୍ବର୍ଗତ ଭିକାରୀ ବଳଙ୍କ ଭାବମୟ ସୁଲଳିତ କଣ୍ଠ ସଂଗୀତରେ ଅତ୍ୟନ୍ତ ଆଧ୍ୟାତ୍ମିକ ଚେତନାର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଭରପୁର ସଭାଗୃହକୁ କିଛି ସମୟ ପାଇଁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି। ମୁଖ୍ୟ ଅତିଥି ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ, କଟକ ମେୟର ଶ୍ରୀଯୁକ୍ତ ସୁବାସ ସିଂହ, ବିଶିଷ୍ଟ ସାହିତ୍ୟକ ଡ଼କ୍ଟର ବିଜୟାନନ୍ଦ ସିଂହ, ଡ଼କ୍ଟର ବୈଜୟନ୍ତୀ ମିଶ୍ର, ସଭାପତି ଗୌର ପଟ୍ଟନାୟକ, ସମ୍ପାଦକ ଡ଼କ୍ଟର ସୁନାମଣୀ ରାଉତ ସଭାମଣ୍ଡନ କରି ଭିକାରୀ ବଳଙ୍କ ସଂଗୀତ ଜୀବନ ଆଲୋଚନା ସହ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନଙ୍କୁ ଭୂୟସୀ ପ୍ରଶଂସା କରି ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି।