ଅଭୀଷ୍ଟ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆନ୍ତର୍ଜାତୀୟ ବାଣିଜ୍ଯ ମେଳାରେ ବୌଦ୍ଧିକ ଅନଗ୍ରସର ଶିଶୁ ଓ କିଶୋରଙ୍କ ପାଇଁ ସମାବେଶୀ ପ୍ରତିଭା ସମାରୋହ ଆୟୋଜିତ

କଳା ପ୍ରଦର୍ଶନ କଲେ ୪୦ରୁ ଅଧିକ ବୌଦ୍ଧିକ ଅନଗ୍ରସର ଶିଶୁ ଓ କିଶୋର

ଭୁବନେଶ୍ବର, ୦୩/୧୧: ସମାଜର ବୌଦ୍ଧିକ ଅନଗ୍ରସର, ସ୍ଵପରାୟଣତା,ଧ୍ୟାନର ଅଭାବ ଏବଂ ଅତି ସକ୍ରିୟତା ଅସ୍ୱାଭାବିକତା ପରି ରୋଗରେ ପୀଡିତ ଦିବ୍ୟାଙ୍ଗ ବ୍ୟକ୍ତି, ତାଙ୍କର ପିତାମାତା ତଥା ଯତ୍ନକାରୀଙ୍କ କଲ୍ଯାଣ ନିମନ୍ତେ କାର୍ଯ୍ୟରତ ଥିବା ଅଭୀଷ୍ଟ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଣିଜ୍ଯ ମେଳାରେ ସମାବେଶୀ ପ୍ରତିଭା ସମାରୋହ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ, ୪୦ରୁ ଊର୍ଦ୍ଧ୍ବ ବୌଦ୍ଧିକ ଅନଗ୍ରସର ଶିଶୁ ଓ କିଶୋରମାନେ ନୃତ୍ୟ,ସଙ୍ଗୀତ,ବାଦ୍ୟ ଯନ୍ତ୍ର ବାଦନ, ଯୋଗ, ଚିତ୍ରାଙ୍କନ ପରି ବିଭିନ୍ନ କଳା ପ୍ରଦର୍ଶନ କରିଛନ୍ତି l ଏହି ଅବସରରେ ସଚେତନତା ନିମନ୍ତେ କାର୍ଯ୍ୟରତ ଥିବା ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ଉପସ୍ଥିତ ଦର୍ଶକମାନେ ସମସ୍ତ ପ୍ରତିଭାଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖି ଭୂୟସୀ ପ୍ରଶଂସା କରିଥିଲେ l

ଏହି ସୁନ୍ଦର ପୃଥିବୀ ଯେଉଁପରି ଭାବରେ ଆମର,ସେହିପରି ପ୍ରତିଟି ଦିବ୍ୟାଙ୍ଗଙ୍କର ମଧ୍ୟ l ପ୍ରତିଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସେମାନଙ୍କ ପାଇଁ ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦ୍ଵାରା ଅଧିକ ସମାବେଶୀ ସୁଯୋଗ ସୃଷ୍ଟି ହୋଇପାରିବ l ସେମାନେ କାର୍ଯ୍ୟ କରିବା ପାଇଁ ଏକ ସହଯୋଗ ପୂର୍ଣ୍ଣ ଅନୁକୂଳ ପରିବେଶର ଆବଶ୍ୟକତା ରହିଛି l ତାଙ୍କର ଯତ୍ନ ନେଉଥିବା ପିତାମାତା ଅନେକ ସମୟରେ ଚାପ ଗ୍ରସ୍ତ ହେଉଥିବାର ଦେଖିବାକୁ ମିଳିଥାଏ । ପିତାମାତାଙ୍କ ଅନୁପସ୍ଥିତିରେ ସେମାନଙ୍କର ଦାୟିତ୍ଵ ନେବା ସହ ଯତ୍ନ ଏବଂ ସୁରକ୍ଷା ପାଇଁ ଦୀର୍ଘ ସମୟର ଯୋଜନା ଏକ ଗମ୍ଭୀର ବିଷୟ l ଏଥିସହିତ ଜଡ଼ିତ ଆଇନଗତ ଦିଗ ଏବଂ ଅଭିଭାବକତ୍ୱ ସମ୍ପର୍କିତ ଜଟିଳତା ପ୍ରସଙ୍ଗରେ ଅଧିକ ଆଲୋଚନା ତଥା ସଚେତନତା ନିହାତି ଜରୁରୀ l

କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ମାନନୀୟା ଶ୍ରୀମତୀ ସୁରମା ପାଢ଼ୀ,ଏକାମ୍ର ବିଧାୟକ ମାନନୀୟ ଶ୍ରୀଯୁକ୍ତ ବାବୁ ସିଂ,ପୂର୍ବତନ ବିଧାୟକ ମାନନୀୟ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର,ଭୁବନେଶ୍ବର ଏମ୍ସ (AIIMS) ର ମାନସିକ ରୋଗ ଚିକିତ୍ସା ବିଭାଗର ବିଭାଗୀୟ ମୁଖ୍ୟ ଡା. ବିଶ୍ଵ ରଞ୍ଜନ ମିଶ୍ର,ଓଡିଶା ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀଯୁକ୍ତ ମିହିର ସାହୁ,ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ଶ୍ରୀମତୀ ବିୟତ ପ୍ରଜ୍ଞା ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର,ବିଶିଷ୍ଟ ଲେଖକ ଡଃ. ଏସ୍. ରବି କୁମାର ଏବଂ ୱଣ୍ଡର ୱାର୍ଲଡ ୱାଟର ପାର୍କର ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମିତା ପୃଷ୍ଟି, ଅଭୀଷ୍ଟ ଚାରିଟେବୁଲ ଟ୍ରଷ୍ଟର ସଂସ୍ଥାପିକା ତଥା ଅଧ୍ୟକ୍ଷା ଶ୍ରୀମତୀ ଏଲି ପାଢୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଆନ୍ତର୍ଜାତୀୟ ବାଣିଜ୍ଯ ମେଳାର ଆୟୋଜକ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଶ୍ରୀଯୁକ୍ତ ସୁଜିତ ଗୁପ୍ତା ଏବଂ ଶ୍ରୀମତୀ ପାୟଲ ଆଚାର୍ଯ୍ଯ ଗୁପ୍ତାଙ୍କୁ ସହୃଦୟ ଧନ୍ଯବାଦ ଜଣାଇଥିଲେ I