କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ

ନେରେଡିବାଲସା ଚେକ୍‌ପୋଷ୍ଟରେ ଉତ୍ତେଜନା

କୋଟିଆ, ୦୩/୧୧: କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ପୁଣି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ନେରେଡିବାଲସା ଚେକ୍‌ପୋଷ୍ଟ ନିକଟରେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହେବାରୁ ଅଞ୍ଚଳରେ ଉତ୍ତେଜନା ବଢ଼ିଛି। ଓଡ଼ିଶା ପୋଲିସ ପକ୍ଷରୁ ସ୍ଥାପନ କରାଯାଇଥିବା ଚେକ୍‌ପୋଷ୍ଟକୁ ଆନ୍ଧ୍ର ପୋଲିସ ଭାଙ୍ଗିବା ସହ ଜୋରଜବରଦସ୍ତି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଓଡ଼ିଶା ପୋଲିସ ଏହାକୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା।

କେବଳ ପୋଲିସ ମଧ୍ୟରେ ନୁହେଁ, ଆନ୍ଧ୍ର ପୋଲିସ ଓ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧ୍ୟ ଯୁକ୍ତିତର୍କ ହୋଇଛି। ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ ଏବଂ ପଟାଙ୍ଗୀ ତହସିଲଦାର ପହଞ୍ଚିଥିବା ବେଳେ ଆନ୍ଧ୍ର ପୋଲିସ ସହ ସେମାନଙ୍କର ମଧ୍ୟ କଥା କଟାକଟି ହୋଇଥିବା ସୂଚନା ମିଳିଛି। ଚେକ୍‌ପୋଷ୍ଟ ନିକଟରେ ଉଭୟ ପକ୍ଷ ନିଜ ନିଜ ଆଭିମୁଖ୍ୟରେ ଅଟଳ ରହିବାରୁ କିଛି ସମୟ ପାଇଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଓଡ଼ିଶା ପୋଲିସ ନେରେଡିବାଲସା ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଏକ ଚାଉଳ ବୋଝେଇ ଟ୍ରକ୍‌କୁ ଅଟକାଇଥିଲା। ଉକ୍ତ ଟ୍ରକ୍‌ରେ ପିଡିଏସ ରାସନ ଚାଉଳ ଥିବା ଏବଂ ଏହାକୁ ଆନ୍ଧ୍ରପ୍ରଦେଶର ଏକ ଗୋଦାମକୁ ନିଆଯାଉଥିବା ସନ୍ଦେହ କରି ପୋଲିସ ଅଟକାଇଥିଲା।

ଖବର ପାଇ ପଟାଙ୍ଗୀ ତହସିଲଦାର ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ର କାଗଜପତ୍ର ଓ ଚାଉଳ ପରିବହନ ସମ୍ପର୍କିତ ତଥ୍ୟ ଯାଞ୍ଚ ଆରମ୍ଭ କରିଥିଲେ। ଏହି ଘଟଣା ପରେ ନେରେଡିବାଲସା ଚେକ୍‌ପୋଷ୍ଟ ନିକଟରେ ଉତ୍ତେଜନା ବଢ଼ିଥିଲା।

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘବର୍ଷ ଧରି ସୀମା ବିବାଦ ଲାଗିରହିଛି। କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ୨୮ଟି ଗାଁକୁ ଓଡ଼ିଶା ନିଜ ଅଞ୍ଚଳ ବୋଲି ଦାବି କରୁଥିବା ବେଳେ ଆନ୍ଧ୍ରପ୍ରଦେଶ ମଧ୍ୟ ଏହା ଉପରେ ନିଜର ପ୍ରଶାସନିକ ଅଧିକାର ଦାବି କରୁଛି। ଏଥିମଧ୍ୟରୁ ୨୧ଟି ଗାଁକୁ ନେଇ ବିବାଦ ଅଧିକ ରହିଛି।

୧୯୬୮ ମସିହାରୁ ଏହି ସୀମା ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଉଭୟ ରାଜ୍ୟକୁ ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଛି। ତଥାପି ଉଭୟ ରାଜ୍ୟର ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟକଳାପକୁ ନେଇ ସମୟ ସମୟରେ ବିବାଦ ସୃଷ୍ଟି ହେଉଛି।

ବର୍ତ୍ତମାନ କୋଟିଆରେ ଉତ୍ତେଜନା ବଢ଼ିବାର ଅନ୍ୟତମ କାରଣ ହେଉଛି ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ। ବିବାଦୀୟ ଅଞ୍ଚଳରେ ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯାଇଛି। ଏହି ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଇବାକୁ ଓଡ଼ିଶା ସରକାର ବିରୋଧ କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ନେରେଡିବାଲସା, ତାଳସେମ୍ବି ଏବଂ ହରମାଣ୍ଡିଙ୍ଗି ଛକ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚେକ୍‌ପୋଷ୍ଟ ସ୍ଥାପନ କରାଯାଇଛି। ସେଠାରେ ପୋଲିସ ମୁତୟନ ସହ ଆନ୍ଧ୍ରପଟୁ ଆସୁଥିବା ଗାଡ଼ିମୋଟର ଉପରେ ନଜର ରଖାଯାଉଛି। ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମଧ୍ୟ ଅଞ୍ଚଳରେ ମୁତୟନ ହୋଇଛନ୍ତି।