ସମ୍ବଲପୁର ମହୋତ୍ସବର ପଶ୍ଚିମ ଓଡ଼ିଶା ସାଂସ୍କୃତିକ ଆବାହକ ଭାବେ ବରଗଡ଼ର ସୁବ୍ରତ ବିର୍ତ୍ତିଆ ମନୋନୀତ

ନୂଆ ଦାୟିତ୍ୱ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି

ସମ୍ବଲପୁର, ୦୫/୧୧: ଆସନ୍ତା ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଅଇଁଠାପାଳସ୍ଥିତ ବିର୍ସା ମଇଦାନଠାରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ଜନଜାତି ଓ ଆଦିବାସୀ ସାଂସ୍କୃତିକ ମହୋତ୍ସବ ‘ସମ୍ବଲପୁର ମହୋତ୍ସବ’୨୦୨୬ ପାଇଁ ବରଗଡ଼ର ସାମାଜିକ କର୍ମୀ ତଥା ସାଂସ୍କୃତି ପ୍ରେମୀ ଶ୍ରୀ ସୁବ୍ରତ କୁମାର ବିର୍ତ୍ତିଆଙ୍କୁ ସର୍ବସମ୍ମତିକ୍ରମେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକର ସାଂସ୍କୃତିକ ଆବାହକ ଭାବେ ମନୋନୀତ କରାଯାଇଛି।

ଏନେଇ ଆୟୋଜକ କମିଟିର ମୁଖ୍ୟ ତଥା ବରିଷ୍ଠ ସଦସ୍ୟ ଉପଦେଷ୍ଟା ମାନଙ୍କ ପକ୍ଷରୁ ଏକ ପତ୍ର ଜରିଆରେ ଶ୍ରୀ ବିର୍ତ୍ତିଆଙ୍କୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ଲୋକକଳା ଓ ଜନଜାତି ସଂସ୍କୃତିର ପ୍ରଚାର ଏବଂ ପ୍ରସାର ପାଇଁ ଏହି ମହୋତ୍ସବରେ ସେମିନାର, କର୍ମଶାଳା, ପାରମ୍ପରିକ ନୃତ୍ୟ, ପ୍ରଦର୍ଶନୀ, ମୀନା ବଜାର ଏବଂ ସ୍ୱାଦିଷ୍ଟ ପାରମ୍ପରିକ ଖାଦ୍ୟ ଷ୍ଟଲ୍ ଆୟୋଜିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।