ସମ୍ବଲପୁର, ୦୫/୧୧: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ମହୁଲପାଲି ଥାନାର ସବ୍-ଇନ୍ସପେକ୍ଟର (ଏସଆଇ) ସୁଜିତ କୁମାର ମହାନ୍ତ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବୁଧବାର ତାଙ୍କୁ ଧରିଥିଲା ଭିଜିଲାନ୍ସ। ତେବେ ଭିଜିଲାନ୍ସ ଟିମ୍କୁ ଦେଖି ସେ ଖସିଯିବାକୁ ଉଦ୍ୟମ କରିଥିଲେ। ଏପରିକି ଗିରଫଦାରୀରୁ ବର୍ତ୍ତିବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ହେଲେ ଖସିଯିବାରେ ବିଫଳ ହୋଇଥିଲେ।
ସୂଚନା ଅନୁସାରେ, ମହୁଲପାଲି ଥାନାରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ SI ସୁଜିତ ମହାନ୍ତ। ମାମଲାର ରଫାଦଫା କରିବା ପାଇଁ ସେ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ବୁଧବାର ସନ୍ଧ୍ୟାରେ ଏସଆଇ ମହାନ୍ତ ଅଭିଯୋଗକାରୀଙ୍କୁ ଥାନା ବାହାରେ ଥିବା ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। ସେଠାରେ ଟଙ୍କା ନେବା ସମୟରେ ପୂର୍ବରୁ ସେଠାରେ ଥିବା ଭିଜିଲାନ୍ସ ଟିମ୍କୁ ଦେଖି ସେ ଦୌଡ଼ି ପଳାଇଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପିଛା କରିଥିଲେ। ଧରାପଡ଼ିବା ଭୟରେ ସେ ନିକଟସ୍ଥ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ବାବଦକୁ ସମ୍ପୂର୍ଣ୍ଣ ୧୦ ହଜାର ଟଙ୍କା ଜବତ କରାଯାଇଥିଲା।
ଏହାପରେ ଭିଜିଲାନ୍ସ ପକ୍ଷରୁ ଲାଞ୍ଚୁଆ ଏସଆଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ମହୁଲପାଲି ଥାନା ପରିସରରେ ଥିବା ତାଙ୍କ ରେଷ୍ଟରୁମ୍ରୁ ଅତିରିକ୍ତ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ନଗଦ ଜବତ ହୋଇଥିଲା। ଏହାବ୍ୟତୀତ ତାଙ୍କ ଅଫିସ୍ ଚାମ୍ବର ଏବଂ ରାଉରକେଲାର ବନ୍ଧମୁଣ୍ଡାସ୍ଥିତ ତାଙ୍କ ପିତାଙ୍କ ସରକାରୀ କ୍ୱାର୍ଟର୍ସରେ ମଧ୍ୟ ତଲାସି କରାଯାଇଥିଲା। ଭିଜିଲାନ୍ସ ଅଧିକ ତଦନ୍ତ ଆରମ୍ଭ କରିଛି।