ଭୁଶୁଡ଼ିଲା ୩ ମହଲା କୋଠା, ୨ ମୃତ

ଏକାଧିକ ଚାପି ହୋଇ ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ, ୦୫/୧୧: ରାଜଧାନୀ ଦିଲ୍ଲୀରେ ପୁଣି ଏକ ବଡ଼ ଅଘଟଣ। ପୁରୁଣା ଦିଲ୍ଲୀର ଚାୱଡ଼ି ବଜାର ଅଞ୍ଚଳରେ ଏକ ତିନି ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ୬ ଜଣ ଫସିଥିବା ନେଇ ଖବର ମିଳିଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୯ଟା ୫୦ ମିନିଟ୍‌ରେ ଚାୱଡ଼ି ବଜାର ମେଟ୍ରୋ ଷ୍ଟେସନ ନିକଟସ୍ଥ ଗଲି ସିତାରା, ଶୀଶ ମହଲ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ତିନି ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଲୋକମାନେ ଫସି ରହିଥିବା ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଖବର ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୬ଟି ଟିମ୍‌କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି। ଏଥିରେ ଫାୟାର ଟେଣ୍ଡର, ୱାଟର ବାଉଜର ଏବଂ ସ୍ୱତନ୍ତ୍ର ଉଦ୍ଧାରକାରୀ ଗାଡ଼ି ସାମିଲ ରହିଛି। ଏହା ସହିତ ଏନଡିଆରଏଫ୍, ଦିଲ୍ଲୀ ପୁଲିସ ଏବଂ ମ୍ୟୁନିସିପାଲ କର୍ପୋରେସନର ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ, ଭଗ୍ନାବଶେଷ ତଳୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପଟେ କିଛି ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ପ୍ରାୟ ଦୁଇ ମାସ ପୂର୍ବରୁ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।