ହତ୍ୟା ମାମଲାରେ ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ଆତ୍ମସମର୍ପଣ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏସଡ଼ିଜେଏମ୍ କୋର୍ଟରେ ଆତ୍ମସମର୍ପଣ

ରାୟଗଡ଼ା, ୦୯/୧୧: ୨୦୧୦ ମସିହାର ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥୀ ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ରାୟଗଡ଼ାସ୍ଥିତ ଏସଡ଼ିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁସାରେ, ୨୦୧୦ ଡିସେମ୍ବର ୧୫ ତାରିଖରେ ଆଦିବାସୀ ନେତା ତଥା ମା’ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟର ସଦସ୍ୟ ଭାଗୀରଥୀ ମାଣ୍ଡାଙ୍ଗୀଙ୍କ ହତ୍ୟା ହୋଇଥିଲା। ଏହି ଘଟଣାରେ ରାୟଗଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ହତ୍ୟା ଘଟଣାରେ ଏନ୍‌. ଭାସ୍କର ରାଓଙ୍କ ସମେତ ଅନ୍ୟ କେତେଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ୨୦୨୪ ନଭେମ୍ବରରେ ରାୟଗଡ଼ା ଏସଡ଼ିଜେଏମ୍ କୋର୍ଟ ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।

ତେବେ ଏହି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଜାମିନ ସମ୍ପର୍କିତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମୃତ ଭାଗୀରଥୀ ମାଣ୍ଡାଙ୍ଗୀଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ଜାମିନ ସମ୍ପର୍କିତ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ଏଥିସହ ଏନ୍‌. ଭାସ୍କର ରାଓଙ୍କ ସମେତ ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ରାୟଗଡ଼ା ଏସଡ଼ିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭାସ୍କର ରାଓ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।