ସମାଜରେ ଏବେ ବି ରହିଛି ସାମାଜିକ କୁସଂସ୍କାର
ଆର୍ଯ୍ୟସମାଜ ପକ୍ଷରୁ ମହର୍ଷି ଦୟାନନ୍ଦଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ ପାଳିତ
ଭୁବନେଶ୍ୱର, ୦୯/୧୧ : ଭାରତବର୍ଷରେ ୧୮୭୫ ମସିହାରେ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ, ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀ ଅରବିନ୍ଦ ନଗର ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପୂର୍ବତନ ଡିନ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ମହର୍ଷି ଦୟାନନ୍ଦ ଦେଢଶହ ବର୍ଷ ତଳେ ସମାଜରୁ କୁସଂସ୍କାର ହଟେଇବାକୁ ଯେଉଁ ର୍ବାା ଦେଇଥିଲେ, ଆଜି ମଧ୍ୟ ତାର ଆବଶ୍ୟକତା ରହିଛି । ଆଜି ବି ସମାଜରେ ନାରୀମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । କୁସଂସ୍କାର ବିରୋଧୀ ସଂଗ୍ରାମରେ ଯୁବକ ଓ ଛାତ୍ରମାନେ ଅଗ୍ରଣୀ ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ ।
ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଊନବିଂଶ ଶତାବ୍ଦୀରେ ଭାରତବର୍ଷରେ ଯେଉଁ ଧାର୍ମିକ ଅସ୍ଥିରତା ଦେଖାଦେଇଥିଲା, ସେହି ସଙ୍କଟମୟ ପରିସ୍ଥିତିରେ ମହର୍ଷି ଦୟାନନ୍ଦ ହିଁ ଦେବଦୂତ ଭଳି ଆବିର୍ଭାବ ହୋଇ “ବେଦ”କୁ ଫେରି ଆସିବାର ଆହ୍ୱାନ, ଭାରତବାସୀଙ୍କୁ ନୂତନ ସଞ୍ଜୀବନୀ ଦେଇଥିଲା । ଅନ୍ୟତମ ଅତିଥି ଧାରାଶ୍ରୀ ରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର ଭାରତବର୍ଷରେ ଆର୍ଯ୍ୟସମାଜର ଅବଦାନ ଅତୁଳନୀୟ ବୋଲି କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ସ୍ୱାଗତ ଭାଷଣ ଓ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଚାର୍ଯ୍ୟ ଧର୍ମରାଜଙ୍କ ଦ୍ୱାରା ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପରେଣୁ ଶତପଥୀ, ଆରତୀ ଜ୍ଞାନେନ୍ଦ୍ର, ପ୍ରଣତି ରାଉତ, ଅଭିମନ୍ୟୁ ପାଢୀ, ଜନ୍ମେଜୟ ନାୟକ, ନଳିନୀକାନ୍ତ ରାଉତ, ଅନିଲ୍ କୁମାର ମହାନ୍ତି, ଗୋବିନ୍ଦ ରାଓ, ସୁବାଷ ମଲ୍ଲିକ ପ୍ରମୁଖ ମହର୍ଷିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା
।