ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର
ହୋମଗାର୍ଡଙ୍କ ସମେତ ଉଭୟଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର
କଲ୍ୟାଣସିଂହପୁର, ୦୯।୧୧ (ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଅଡାବାଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପାର୍ଷାଲି ପଞ୍ଚାୟତ କାଡ୍ରାକା ବାଣ୍ଡେଲି ଗ୍ରାମର ସାମ କାଡ୍ରାକା ଏବଂ ପଞ୍ଚକଡ଼ି ଗ୍ରାମର ବସ୍କ କାଡ୍ରାକା। ଆହତ ସାମ କାଡ୍ରାକା ସ୍ଥାନୀୟ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉଭୟ କୌଣସି ଜରୁରୀ କାର୍ଯ୍ୟରେ ବୁଡ଼ୁଣି ଗ୍ରାମସ୍ଥିତ ସରପଞ୍ଚଙ୍କ ବାସଭବନକୁ ଯାଇଥିଲେ। ସେଠାରୁ ବାଇକ୍ ଯୋଗେ ତିନି ଜଣ ଫେରୁଥିବା ବେଳେ ଧାମୁଣିପଙ୍ଗା ପଞ୍ଚାୟତ ର ଢେପାଗୁଡ଼ା ଓ ଅଡ଼ାବଡ଼ି ମଝିରେ ଥିବା ଏକ ତୀକ୍ଷ୍ଣ ବୁଲାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଛିଟିକି ପଡ଼ି ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେଥିବା ଗୁଡ଼ିଆ ରେ ପଡ଼ି ରହିଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଏକ ଘରୋଇ କାର୍ ଯୋଗେ ଉଭୟଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିନ୍ମୟ ରଞ୍ଜନ ନାୟକ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଉକ୍ତ ଖବର ପାଇଁ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।