ନୂଆଦିଲ୍ଲୀ, ୦୯/୧୧: କର୍କଟ ରୋଗୀ ଓ ସେମାନଙ୍କ ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ଦେଶରେ କର୍କଟ ଚିକିତ୍ସାରେ ବ୍ୟବହୃତ ଅନେକ ଜୀବନରକ୍ଷକ ଔଷଧର ମୂଲ୍ୟରେ ବଡ଼ ଧରଣର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଔଷଧ ବିକ୍ରି ଓ ବିତରଣ ବ୍ୟବସ୍ଥାରେ ଅତ୍ୟଧିକ ଲାଭ ରୋକିବା ଲାଗି ସରକାର ୧୩୭ଟି କର୍କଟ ଔଷଧ ଉପରେ ବ୍ୟବସାୟିକ ମାର୍ଜିନ୍କୁ ୩୦ ପ୍ରତିଶତରେ ସୀମିତ ରଖିଛନ୍ତି। ଏହାଦ୍ୱାରା କିଛି ଔଷଧର ଦର ୯୬.୪୫ ପ୍ରତିଶତ ପର୍ଯ୍ୟନ୍ତ କମିଥିବା ବେଳେ ରୋଗୀଙ୍କ ପାଇଁ ବାର୍ଷିକ ପ୍ରାୟ ୩,୫୦୨ କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି।
କର୍କଟ ରୋଗର ଚିକିତ୍ସା ଦୀର୍ଘ ସମୟ ଧରି ଚାଲୁଥିବାରୁ ରୋଗୀଙ୍କ ପରିବାରକୁ ଔଷଧ, ଇଞ୍ଜେକ୍ସନ୍ ଓ ଅନ୍ୟାନ୍ୟ ଚିକିତ୍ସା ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଜାତୀୟ ଔଷଧ ମୂଲ୍ୟ ନିୟନ୍ତ୍ରଣ ପ୍ରାଧିକରଣ (ଏନପିପିଏ)ର ବିଶ୍ଳେଷଣ ଅନୁସାରେ, ନିୟନ୍ତ୍ରିତ ତାଲିକା ବାହାରେ ଥିବା କିଛି କର୍କଟ ଔଷଧରେ ହାରାହାରି ୧୭୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ହେଉଥିଲା। କେତେକ କ୍ଷେତ୍ରରେ ଏହି ମାର୍କଅପ୍ ୭୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚୁଥିଲା। ଫଳରେ ନିର୍ମାତାଙ୍କଠାରୁ ଔଷଧ କିଣିବା ମୂଲ୍ୟ ଓ ରୋଗୀଙ୍କୁ ଦେବାକୁ ପଡ଼ୁଥିବା ଖୁଚୁରା ମୂଲ୍ୟ ମଧ୍ୟରେ ବଡ଼ ବ୍ୟବଧାନ ରହୁଥିଲା। ଏହି ସମସ୍ୟାକୁ ଦୂର କରିବା ଲାଗି ସରକାର ନୂଆ ନିୟମ ଆଣିଛନ୍ତି।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୧୩୭ଟି ନିର୍ଦ୍ଦିଷ୍ଟ କର୍କଟ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ବ୍ୟବସାୟିକ ମାର୍ଜିନ୍କୁ ୩୦ ପ୍ରତିଶତରେ ସୀମିତ କରାଯାଇଛି। ଏହି ନିୟମ ଦେଶୀ ଓ ବିଦେଶୀ, ଜେନେରିକ୍ ଓ ବ୍ରାଣ୍ଡେଡ୍ ତଥା ପେଟେଣ୍ଟ ଔଷଧ ପାଇଁ ମଧ୍ୟ ଲାଗୁ ହେବ।
ଏହି ନିଷ୍ପତ୍ତି ଅନୁଯାୟୀ, ୭୬ଟି ଔଷଧ କମ୍ପାନୀ ୧,୨୨୫ଟି କର୍କଟ ଔଷଧ ଫର୍ମୁଲେସନ୍ର ସଂଶୋଧିତ ମୂଲ୍ୟ ଜଣାଇଛନ୍ତି। ଏଥିରେ ୧,୦୩୧ଟି ଫର୍ମୁଲେସନ୍ର ଦର ହ୍ରାସ ପାଇଛି। ୬୦୦ଟି ବ୍ରାଣ୍ଡ୍ର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ କମିଥିବା ବେଳେ ସର୍ବାଧିକ ହ୍ରାସ ୯୬.୪୫ ପ୍ରତିଶତ ରହିଛି।