ମହିଳା ଏସିପିଙ୍କୁ ଧସ୍ତାଧସ୍ତି: ୧୦ ଜଣ ଅଟକ

ଆଇନ ହାତକୁ ନେଇଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ ଆକ୍ସନ: ଡିସିପି

କଟକ, ୦୯/୧୧: ମହିଳା ଏସିପି ଅନନ୍ୟା ଅୱସ୍ତିଙ୍କୁ ଧସ୍ତାଧସ୍ତି ଘଟଣାରେ ୧୦ ଜଣଙ୍କୁ ଅଟକ ରଖିଛି ପୋଲିସ। ଏନେଇ କଟକ ଡିସିପି ରିଷିକେଶ ଖିଲାରି ସୂଚନା ଦେଇଛନ୍ତି। ଘଟଣା ସମୟର ସିସିଟିଭି ଫୁଟେଜ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓକୁ ପୋଲିସ ଯାଞ୍ଚ କରୁଛି। ଏହା ସହ ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରହିଛି।

ଗତକାଲି ଦୀପାବଳି ପାଳନ ସମୟରେ କଟକର ନୟାସଡ଼କ ଛକରେ ବାଣ ଫୁଟାକୁ ନେଇ ଏହି ବିବାଦ ଦେଖାଦେଇଥିଲା। ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଯାଉଥିବାରୁ ପୋଲିସ ପକ୍ଷରୁ ଏହାକୁ ବାରଣ କରାଯାଇଥିଲା। ତେବେ ପୋଲିସର ଏହି କଟକଣାକୁ ନେଇ କିଛି ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା।

ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ଉପସ୍ଥିତ ମହିଳା ଏସିପି ଅନନ୍ୟା ଅୱସ୍ତି ଲୋକଙ୍କୁ ବାଣ ନଫୁଟାଇବାକୁ ବାରଣ କରିଥିଲେ। ହେଲେ ଏହାକୁ ନେଇ କିଛି ଲୋକ ତାଙ୍କ ସହ ଯୁକ୍ତିତର୍କ କରିବା ସହ ଧସ୍ତାଧସ୍ତି କରିଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ନୟାସଡ଼କ ଅଞ୍ଚଳର ସିସିଟିଭି ଫୁଟେଜ୍ ସହ ଭାଇରାଲ୍ ଭିଡିଓକୁ ଯାଞ୍ଚ କରାଯାଉଛି। ଏହା ଆଧାରରେ ଘଟଣାରେ କେଉଁମାନେ ସମ୍ପୃକ୍ତ ଥିଲେ, ସେମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଉଦ୍ୟମ କରୁଛି।

କଟକ ଡିସିପି ରିଷିକେଶ ଖିଲାରିଙ୍କ ସୂଚନା ଅନୁସାରେ, ଏହି ଘଟଣାରେ ଏବେ ସୁଦ୍ଧା ୧୦ ଜଣଙ୍କୁ ଅଟକ ରଖାଯାଇଛି। ତଦନ୍ତ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇପାରେ। ଆଇନକୁ ହାତକୁ ନେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ଘଟଣା ପରେ ନୟାସଡ଼କ ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। ରାତି ପର୍ଯ୍ୟନ୍ତ ପୋଲିସ ମୁତୟନ ରହି ପରିସ୍ଥିତି ଉପରେ ନଜର ରଖିଥିଲା।