ବନ୍ୟା ମନୁଷ୍ୟକୃତ ନୁହେଁ, ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ହୋଇଛି: ମୁଖ୍ୟ ଶାସନ ସଚିବ

‘ବନ୍ୟା ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ’

ଭୁବନେଶ୍ୱର, ୧୧/୧୧: ଗଞ୍ଜାମରେ ବନ୍ୟା ପରିଚାଳନା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଶ୍ନ ଉଠାଇବା ପରେ ଆଜି ପ୍ରେସମିଟରେ ଉତ୍ତର ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଅର୍ଣ୍ଣବ ବାତ୍ୟା ପରେ ସୃଷ୍ଟି ହୋଇଥିବା ବନ୍ୟା ମନୁଷ୍ୟକୃତ ନୁହେଁ, ବରଂ ୩ ଦିନ ଧରି ଲାଗି ରହିଥିବା ଅସ୍ୱାଭାବିକ ବର୍ଷା ଯୋଗୁଁ ବନ୍ୟା ହୋଇଥିବା କହିଛନ୍ତି ଅନୁ ଗର୍ଗ।

ଅନୁ ଗର୍ଗ କହିଛନ୍ତି, ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଲଗାତାର ୩ ଦିନ ବର୍ଷା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହେଲା। ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିମି ବର୍ଷା ହୋଇଥିଲା। ତା ପୂର୍ବ ଦିନ ସେଠାରେ ୮୯ ମିମି ଓ ପରଦିନ ୧୭୩ ମିମି ବର୍ଷା ହୋଇଥିଲା। ଏପରିକି ଆଉ କିଛି ସ୍ଥାନ ଇତିହାସରେ ସର୍ବାଧିକ ବର୍ଷାର ରେକର୍ଡ ବି କଲା। ୧୯୯୦ ଓ ୨୦୧୩ରେ ହୋଇଥିବା ପ୍ରବଳ ବର୍ଷାଠୁ ବି ଅଧିକ ଥିଲା।

ଅର୍ଣ୍ଣବ ବାତ୍ୟାରେ ୨୦୧୩ରେ ଫାଇଲିନ୍‌ ବର୍ଷା ଠାରୁ ବି ୬୫% ଅଧିକ ବର୍ଷା ହୋଇଥିଲା। ଫାଇଲିନ୍‌ ସମୟରେ ଗୋଟିଏ ଦିନ ବର୍ଷା ଥିଲା, ମାତ୍ର ଏଥର ୩ ଦିନ ବର୍ଷା ହୋଇଛି। ତେଣୁ ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଋଷିକୁଲ୍ୟା ଓ ବାହୁଦାର କ୍ୟାଚମେଣ୍ଟ ଏରିଆର ୧୦% ପାଣି ଡ୍ୟାମ୍‌କୁ ଯାଏ। ଅବଶିଷ୍ଟ ପାଣି ସିଧାସଳଖ ନଦୀକୁ ଯାଏ, ସେଥିରେ ଆଉ ନିୟନ୍ତ୍ରଣ ନାହିଁ। ମାତ୍ର ଡ୍ୟାମ୍‌ରୁ ଜଳ ନିଷ୍କାସନ ନେଇ ଯାହା କରାଯିବା କଥା କରାଯାଇଛି। ଏଥର ମଧ୍ୟ ଅନୁଧ୍ୟାନ କରି ଯନ୍ତ୍ରୀମାନେ ଡ୍ୟାମ୍‌ର ପାଣି ଖସାଇଥିଲେ। ୬୦ରୁ ୬୫ ପ୍ରତିଶତ ପାଣି ଡ୍ୟାମ୍ କର୍ତ୍ତୃପକ୍ଷ ଖସାଇଥିଲେ। ବନ୍ୟା ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ।

ଫାଇଲିନ୍‌ ସମୟରେ ଯେପରି ପାଣି କମା ଯାଇଥିଲା, ଏଥର ମଧ୍ୟ ହୋଇଛି। ଡ୍ୟାମ୍‌ ନିରାପତ୍ତା ହେଉଛି ପ୍ରାଥମିକତା, ଏଥିରେ ରିସ୍କ ନେଇ ହେବନି। ଯେଉଁ ଅନୁସାରେ ପାଣି ଆସିଲା, ସେହି ଅନୁସାରେ ଗେଟ୍‌ ଖୋଲାଯାଇଥିଲା।

ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ନେଇ ଅନୁଧ୍ୟାନ କରିବାକୁ ଆସିଥିବା ସେଣ୍ଟ୍ରାଲ ଟିମ୍‌ ରିପୋର୍ଟ ମଧ୍ୟ ଦେଇ ସାରିଛନ୍ତି।ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ବୋଲି ସେମାନେ ରିପୋର୍ଟରେ କହିଛନ୍ତି।

ଲୋକଙ୍କ ବିଦ୍ୟୁତ ଓ ପିଇବା ପାଣି ଆଦି ନେଇ ସମସ୍ୟା ପ୍ରାୟତଃ ଦୂର ହୋଇସାରିଛି। ଗଞ୍ଜାମରେ ୧୦୦ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ହୋଇସାରିଛି। ଏବେ ୯୯.୯୯ ପ୍ରତିଶତ ଗ୍ରାହକ ବିଦ୍ୟୁତ୍ ସୁବିଧା ପାଉଛନ୍ତି। କେନାଲ ଭାଙ୍ଗିଥିବା ସ୍ଥାନକୁ ଜଳ ସମ୍ପଦ ବିଭାଗ ମରାମତି କରୁଛି। ଚାଷୀଙ୍କ ଜମିକୁ ଜଳ ପହଞ୍ଚିବାରେ କୌଣସି ଅସୁବିଧା ହେବନି। ୪ ହଜାରରୁ ଅଧିକ ନଳକୂପର ପୁନରୁଦ୍ଧାର ହୋଇଛି। ୪୨୦ଟି ପାଇପ୍ ଲାଇନ୍‌ରୁ ୪୦୮ଟି ମରାମତି ହୋଇଛି। ଖୁବ୍‌ଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ସରିବ।