ସିଆରପିଏଫ ଚେକ୍‌ପୋଷ୍ଟ ଉପରେ ଆତଙ୍କବାଦୀ ହମଲା

ଅତର୍କିତ ଗୁଳିମାଡ଼ରେ ୩ ଜଣ ଯବାନ ଆହତ

ଜମ୍ମୁ-କାଶ୍ମୀର, ୧୧/୧୧: ଜମ୍ମୁ-କାଶ୍ମୀରରେ ପୁଣି ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ବୁଧବାର ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ଥିବା ସିଆରପିଏଫ ଚେକ୍‌ପୋଷ୍ଟ ଉପରେ ବାଇକ୍‌ରେ ଆସି ଆତଙ୍କବାଦୀମାନେ ଅତର୍କିତ ଗୁଳିଚାଳନା କରିଛନ୍ତି। ଏହି ଆକ୍ରମଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ସାମାନ୍ୟ ଗୁରୁତର ଥିବାବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖ ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌ ସମୟରେ କୁଲଗାମ ଜିଲ୍ଲାର ଅଖରାନ୍‌ ଅଞ୍ଚଳର ମୀର ବଜାର ନିକଟରେ ଏହି ଆତଙ୍କୀ ହମଲା ହୋଇଛି। ସେଠାରେ ନିୟମିତ ସୁରକ୍ଷା ଡ୍ୟୁଟିରେ ମୁତୟନ ଥିବା ସିଆରପିଏଫ ଯବାନଙ୍କୁ ଦୁଇ ଜଣ ଅଜ୍ଞାତ ବାଇକ୍‌ ଆରୋହୀ ଟାର୍ଗେଟ କରିଥିଲେ। ସେମାନେ ହଠାତ୍‌ ଗୁଳିଚାଳନା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆକ୍ରମଣରେ ହେଡ୍‌ କନଷ୍ଟେବଳ ସୋମବୀର ସିଂହ ଏବଂ କନଷ୍ଟେବଳ ରାକେଶ ଦାସ ଓ ସନ୍ତୋଷ ଚନ୍ଦ୍ରୁ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ପରେ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ଅତିରିକ୍ତ ସୁରକ୍ଷାବାହିନୀ ଏବଂ କୁଇକ୍‌ ରିଆକ୍ସନ୍‌ ଟିମ୍‌ କୁ ଘଟଣାସ୍ଥଳକୁ ପଠାଯାଇଛି। ଫେରାର ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି। ତେବେ ଆକ୍ରମଣ ପଛରେ କେଉଁ ଆତଙ୍କୀ ସଂଗଠନର ହାତ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।