ସ୍ଵାୟତ ଶାସନ ସଂସ୍ଥା ଗୁଡ଼ିକରେ ଏସଇବିସିଙ୍କ ପ୍ରତିନିଧିତ୍ୱ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର କମିଶନ ଗଠନ କଲେ ରାଜ୍ୟ ସରକାର

ପଞ୍ଚାୟତିରାଜ ଓ ସହରାଞ୍ଚଳ ସ୍ଵାୟତ ଶାସନ ସଂସ୍ଥାରେ ଏସଇବିସି ବର୍ଗଙ୍କ ପ୍ରକୃତ ରାଜନୈତିକ ପ୍ରତିନିଧିତ୍ୱ ଆକଳନ ପାଇଁ କମିଶନଙ୍କ ଜିଲ୍ଲାୱାରୀ ତଥ୍ୟ ସଂଗ୍ରହ ଆରମ୍ଭ

ଭୁବନେଶ୍ୱର, ୧୩/୧୧: ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC)ଙ୍କ ନ୍ୟାୟସଙ୍ଗତ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ମାନ୍ୟବର ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ (ଅବସରପ୍ରାପ୍ତ)ଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର କମିଶନ ଗଠନ କରାଯାଇଛି । ଏଥିନିମନ୍ତେ ଏକ ବୈଠକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସିଆରପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ପରିସରରେ କମିଶନ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗଠନ ହେବା ପରଠାରୁ, SEBC ପ୍ରତିନିଧିତ୍ୱ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଏବଂ ଆକଳନ ପ୍ରକ୍ରିୟାର ପଦ୍ଧତି ଉପରେ ବିଚାରବିମର୍ଶ କରିବା ପାଇଁ କମିଶନ ଏକାଧିକ ବୈଠକ ଅନୁଷ୍ଠିତ କରିସାରିଛନ୍ତି ।

ସ୍ଥାନୀୟ ସ୍ଵାୟତ ଶାସନ ସଂସ୍ଥାଗୁଡ଼ିକରେ SEBC ବର୍ଗର ପ୍ରତିନିଧିତ୍ୱ ଯାଞ୍ଚ କରିବା ଏବଂ ତୃଣମୂଳ ସ୍ତରୀୟ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକରେ ସେମାନଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ନିମନ୍ତେ ଆନୁପାତିକ ସଂରକ୍ଷଣର ଆବଶ୍ୟକତା ଆକଳନ କରିବା ଦାୟିତ୍ୱ ଏହି କମିଶନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ୍ (IAS) ଅଧିକାରୀ ଶ୍ରୀ ବିଜୟ କୁମାର ପୃଷ୍ଟିଙ୍କୁ ଏହି କମିଶନର ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିବା ବେଳେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସୁଜାତା ମିଶ୍ର (OAS-SS)ଙ୍କୁ ଏହାର ସଦସ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି।

ଆଲୋଚନା ସମୟରେ, ସ୍ଥାନୀୟ ସ୍ଵାୟତ ଶାସିତ ସଂସ୍ଥାଗୁଡ଼ିକରେ ବର୍ଗର ପ୍ରକୃତ ପ୍ରତିନିଧିତ୍ୱ ନିର୍ଦ୍ଧାରଣ କରିବା ପାଇଁ ବିସ୍ତୃତ ସୂଚନା ଏବଂ ଜିଲ୍ଲାୱାରୀ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ଉପରେ କମିଶନ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ରାଜ୍ୟବ୍ୟାପୀ ପଞ୍ଚାୟତିରାଜ ଅନୁଷ୍ଠାନ (PRIs) ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ଵାୟତ ଶାସନ ସଂସ୍ଥାଗୁଡ଼ିକରେ (ULBs) ‘ଅଣ-ସଂରକ୍ଷିତ’ (UR) ବର୍ଗ ଅଧୀନରେ ନିର୍ବାଚିତ ହୋଇଥିବା SEBC ସଦସ୍ୟମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଜିଲ୍ଲାୱାରୀ ତଥ୍ୟ, ଓଡ଼ିଶାର ସ୍ଥାନୀୟ ସ୍ଵାୟତ ଶାସନ ସଂସ୍ଥାଗୁଡ଼ିକରେ SEBC ବର୍ଗର ପ୍ରକୃତ ରାଜନୈତିକ ପ୍ରତିନିଧିତ୍ୱ ସମ୍ପର୍କରେ ପ୍ରମାଣ-ଆଧାରିତ ଆକଳନ କରିବାକୁ କମିଶନଙ୍କୁ ସକ୍ଷମ କରିବ । ଏହା ସହିତ, ପ୍ରଚଳିତ ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଏହି ବିଷୟ ଉପରେ ଅଧିକ ଯାଞ୍ଚ କରିବାକୁ ମଧ୍ୟ ସହାୟକ ହେବ । ସରକାରୀ ଯୋଗାଯୋଗ ଏବଂ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ପାଇଁ, କମିଶନଙ୍କ ନିର୍ଦ୍ଦିଷ୍ଟ ଇ-ମେଲ୍ ଆଇଡି ([email protected]) ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ନୋଡାଲ୍ ବିଭାଗ ଭାବେ ଚୟନ କରାଯାଇଛି । ଏହି ବିଭାଗ ସମସ୍ତ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରିବେ ଏବଂ ନିର୍ଦ୍ଧାରିତ ଫର୍ମାଟରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ଓ ଦାଖଲ ସୁନିଶ୍ଚିତ କରିବେ । କମିଶନଙ୍କ ଦ୍ୱାରା ଠିକ୍ ସମୟରେ ଯାଞ୍ଚ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁବିଧା ହେବା ଉଦ୍ଦେଶ୍ୟରେ, ଉକ୍ତ ବିଭାଗକୁ ଯଥାଶୀଘ୍ର (ସମ୍ଭବତଃ ୪୫ ଦିନ ମଧ୍ୟରେ) ସମସ୍ତ ସଂକଳିତ ତଥ୍ୟ କମିଶନଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ (ପୌର ପ୍ରଶାସନ) ଶ୍ରୀ ଅରିନ୍ଦମ ଡାକୁଆ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ଏବଂ ପଞ୍ଚାୟତି ରାଜ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ନାୟକଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।