କୋଇଡ଼ାରେ ଆଦିବାସୀ ଯୁବକ ପାତୁ ମୁଣ୍ଡାଙ୍କୁ ଆକ୍ରମଣ ଘଟଣା; ବିଜେପି ସରକାରରେ ଆଦିବାସୀ ସମାଜ ଅବହେଳିତ: ବିଜେଡି

ଆଦିବାସୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ

ଭୁବନେଶ୍ୱର, ୧୪/୧୧: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ଆଦିବାସୀ ସମ୍ପ୍ରଦାୟ ବାରମ୍ବାର ଶୋଷଣ ଓ ନିର୍ଯାତନାର ଶିକାର ହେବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟରେ ଗତ ଅଢେଇ ବର୍ଷର ବିଜେପି ସରକାରଙ୍କ ଶାସନ କାଳରେ ଆଦିବାସୀ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । କେନ୍ଦୁଝର ଜିଲ୍ଲାରେ ଆଦିବାସୀଙ୍କ ଉପରେ ଆକ୍ରମଣ ଘଟଣା ପରେ ସୁନ୍ଦରଗଡ ଜିଲ୍ଲାରେ ଏହି ଘଟଣାର ପୁନରାବୃତ୍ତି ହୋଇଛି । ନିରୀହ ଆଦିବାସୀ ଚାଷୀ ପାତୁ ମୁଣ୍ଡାଙ୍କୁ ଗୋରକ୍ଷକ ସାଜିଥିବା ବଜରଙ୍ଗ ଦଳର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଏନେଇ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ ସଭାପତି ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ, ଆଜି ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମକୁ ଯାଇ ଆକ୍ରମଣର ଶିକାର ଆଦିବାସୀ ଯୁବକ ପାତୁ ମୁଣ୍ଡାଙ୍କୁ ଭେଟି ଆଲୋଚନା କରିଥିଲା । ପାତୁ ମୁଣ୍ଡା ନିଜ ପାଳିତ ଗାଈଗୋରୁଙ୍କୁ ଧରି ଘରକୁ ଫେରୁଥିବା ବେଳେ ନିଜକୁ ଗୋରକ୍ଷକ କହୁଥିବା କେତେକ ବଜରଙ୍ଗ ଦଳ ସହ ଜଡ଼ିତ ଯୁବକ ମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପାତୁ ମୁଣ୍ଡା ଆହତ ହୋଇ କେ. ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ଗୋରକ୍ଷା ନାମରେ ବର୍ବରତା ଘଟାଇ ଆଦିବାସୀ ମାନଙ୍କୁ ଆକ୍ରମଣ ପରେ ବି ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ବିଜେପି ସରକାରରେ ଆଦିବାସୀ ମାନେ ବାରମ୍ବାର ଉପେକ୍ଷିତ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ବିଜେଡି ପ୍ରତିନିଧି ଦଳ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ।

ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ ଯେ, ପାତୁ ମୁଣ୍ଡାଙ୍କ ଉପରେ ବଜରଙ୍ଗ ଦଳର କର୍ମୀଙ୍କ ଆକ୍ରମଣ ଅତି ନିନ୍ଦନୀୟ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଆଦିବାସୀ ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ରାଜ୍ୟ ସରକାର ଆଦିବାସୀ ମାନଙ୍କୁ ସୁରକ୍ଷା ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହି ଘଟଣା ପରେ ସାରା ରାଜ୍ୟର ଆଦିବାସୀ ସମାଜ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀ ନିରଞ୍ଜନ ବିଶି କହିଥିଲେ ଯେ, ଜଣେ ଆଦିବାସୀ ଯୁବକଙ୍କୁ ବଜରଙ୍ଗ ଦଳର କର୍ମୀ ମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । କିନ୍ତୁ ଅଭିଯୋଗର ୧୪ ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ । ଆଦିବାସୀ ମାନଙ୍କୁ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ସରକାର ଚୁପ୍ ବସିବା ଅତ୍ୟନ୍ତ ନିନ୍ଦନୀୟ ।

ଶ୍ରୀ ଯୋଗେଶ ସିଂ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆଇନ ହାତକୁ ନେଇ ବାରମ୍ବାର ଆଦିବାସୀ ମାନଙ୍କୁ ଆକ୍ରମଣ କରାଯାଉଛି । ଆଦିବାସୀ ମାନଙ୍କ ପ୍ରତି ଆକ୍ରମଣକୁ ବିଜେଡି କେବେ ବରଦାସ୍ତ କରିବ ନାହିଁ ।

ଡ଼ ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଆଦିବାସୀ ମାନଙ୍କୁ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଆଦିବାସୀ ମାନଙ୍କୁ ଆକ୍ରମଣ ହେଲେ ବିଜେଡି ଚୁପ ବସିବ ନାହିଁ । କେନ୍ଦୁଝରରେ ଆଦିବାସୀ ମାନଙ୍କୁ ଆକ୍ରମଣ ହେବା ପରେ ବିଜେଡି ପ୍ରତିନିଧି ଦଳର ହସ୍ତକ୍ଷେପ ଯୋଗୁଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା । ସବୁ ଜାଣି ମଧ୍ୟ ଚୁପ ବସିଥିଲେ ରାଜ୍ୟ ସରକାର । ଆଦିବାସୀ ମାନଙ୍କୁ ଆକ୍ରମଣ ବିଜେଡି କେବେ ବରଦାସ୍ତ କରିବ ନାହିଁ ।

ଶ୍ରୀ ରୋହିତ ଯୋଶେଫ ତିର୍କୀ କହିଥିଲେ ଯେ, ଆକ୍ରମଣର ଶିକାର ଆଦିବାସୀ ପରିବାରକୁ ଭେଟି ଆଲୋଚନା କରିଛୁ । ଆଗାମୀ ଦିନରେ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ନିରୀହ ଆଦିବାସୀ ମାନଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ।

ରାଉରକେଲା ଡିଆଇଜି ବ୍ରିଜେଶ ରାୟଙ୍କୁ ଭେଟି ଆଲୋଚନା କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଥିଲା । ବିଜେଡିର ଏହି ପ୍ରତିନିଧି ଦଳରେ ଡ଼ ନିରଞ୍ଜନ ବିଶି, ସାରଦା ନାୟକ, ଯୋଗେଶ ସିଂ, ରୋହିତ ଯୋଶେଫ ତିର୍କୀ, ଡ଼ ପ୍ରିୟବ୍ରତ ମାଝୀ, ପ୍ରଦୁ୍ୟମ୍ନ ତ୍ରିପାଠୀ, ଗଙ୍ଗାଧର ହେମ୍ବ୍ରମ, ଭାନୁପ୍ରତାପ ସିଂ ମାଝୀ, ସନ୍ଧ୍ୟାରାଣୀ ଲାକ୍ରା, ପଙ୍କଜ ଜୟସ୍ୱାଲ, ବୀରବିଚିତ୍ରସେନ ନାୟକ, ଉମେଶ ରାୟ, ଗଙ୍ଗା ମହାନ୍ତ, ଜୁନିଆଲି କାଣ୍ଡେଲ, ଦ୍ରୌପଦୀ କିଷାନ, ଧନେଶ୍ୱର ନାୟକ, ମନମାସୀ ମୁଣ୍ଡା, କନ୍ଦ୍ରୁ କିଷାନ, ଅଶୋକ ବେହେରା, କୋଲେଶ୍ୱର ସିଂ, ଶିଲେ ମୁଣ୍ଡା, ସୁରେଶ ଭୋଇ, ଅଜିତ ମୁଣ୍ଡା, ଲକି ମହାନ୍ତ, ଚନ୍ଦନ ସାହୁ, ଅମରଦୀପ ମହାନ୍ତ, ଓମ୍ ପ୍ରକାଶ ମହାନ୍ତ, ଭୀମସେନ ମହାନ୍ତ, କ୍ରୀଷ୍ଣା ପାତ୍ର, ଇଲିଆସ ମୁଣ୍ଡା ଓ ବିଜେଡି ନେତୃବର୍ଗଙ୍କ ସହ ଶହ ଶହ ଆଦିବାସୀ ଉପସ୍ଥିତ ଥିଲେ ।