ଅବପାତରେ ପରିଣତ ହେଲା ଘୂର୍ଣ୍ଣିବଳୟ

୧୮ରୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୫/୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଘୂର୍ଣ୍ଣିବଳୟ। ଆଜି ସକାଳ ୫ଟା ୩୦ ମିନିଟରେ ଅବପାତରେ ପରିଣତ ହେଲା। ଏହା ଗଭୀର ଅବପାତରେ ପରିଣତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ। ୧୭ରେ ଭୀଷଣ ବାତ୍ୟାର ସମ୍ଭାବନା ରହିଛି।

ଅବପାତ ବର୍ତ୍ତମାନ ସୁଦ୍ଧା ପୋର୍ଟବ୍ଲେୟାରରୁ ୭୦୦ କିମି, ଚେନ୍ନାଇରୁ ୮୬୦ କିମି, ବିଶାଖାପାଟଣାରୁ ୧୦୪୦ ଓ ଗୋପାଳପୁରରୁ ୧୧୬୦ କିମି ଦୂରରେ ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ଆଜି ସୁଦ୍ଧା ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ଯପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୮, ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ବର୍ଷା ଆଲର୍ଟ ଜାରି କରାଯାଇଛି।