ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅକୱାନ୍’
ଘଣ୍ଟାକୁ ୭କିମି ବେଗରେ ଆଗକୁ ବଢୁଛି ସାମୁଦ୍ରିକ ଝଡ
ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର, ୧୮/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ୍’କୁ ନେଇ ଓଡ଼ିଶାରେ ବଢ଼ିଲା ଚିନ୍ତା। ଗଭୀର ଅବପାତ ଏବେ ଭୀଷଣ ବାତ୍ୟାର ରୂପ ନେଇଛି। ସଦ୍ୟତମ ସୂଚନା ଅନୁଯାୟୀ, ବାତ୍ୟା ‘ଅକୱାନ’ ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡିଶା ଉପକୂଳକୁ ଆସିବ। ଘଣ୍ଟାକୁ ୭ କି.ମି. ବେଗରେ ଆଗକୁ ବଢୁଛି ସାମୁଦ୍ରିକ ଝଡ।
ବର୍ତ୍ତମାନ ବାତ୍ୟା ‘ଅକ୍ୱାନ୍’ ଗୋପାଳପୁରରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ପୁରୀ ଠାରୁ ୭୭୦ କିମି ଦକ୍ଷିଣରେ ଓ ବିଶାଖାପାଟଣା ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।
ବାତ୍ୟାର ପ୍ରଭାବରେ ରାଜ୍ୟର ଉପକୂଳଠାରୁ ଆଭ୍ୟନ୍ତରୀଣ ଅଞ୍ଚଳ ଯାଏଁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ନଭେମ୍ବର ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ପାଇଁ ୧୯ ଓ ୨୦ ତାରିଖରେ ସାରା ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ନଭେମ୍ବର ୧୮ରୁ ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ୧୮ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୧୯, ୨୦ ଓ ୨୧ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ସମୁଦ୍ର ମଧ୍ୟ ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଅଞ୍ଚଳରେ ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ମାଛ ଧରିବା ଉପରେ କଟକଣା ରହିଛି।
ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ୭୪ଟି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଇଛି।
ସେହିପରି ପର୍ଯ୍ୟଟକ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ବେଳାଭୂମି ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ପର୍ଯ୍ୟଟନ ଓ ପରିବହନ ବିଭାଗ ସଚିବଙ୍କୁ ଚିଠି ଲେଖି ୨୦ ପର୍ଯ୍ୟନ୍ତ ବେଳାଭୂମି ପର୍ଯ୍ୟଟନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଛନ୍ତି। ବ୍ୟାରିକେଡ୍ ସହ ସତର୍କତା ସୂଚନା ଫଳକ ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।