କୋଟିଆରୁ ଆରମ୍ଭ ହେଉ ବିକାଶର ଧାରା: ଶ୍ରୀକାନ୍ତ ଜେନା

କୋଟିଆ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ପ୍ରସ୍ତାବ

କୋରାପୁଟ, ୧୯/୧୧: କୋରାପୁଟ ଜିଲ୍ଲାର ବିକାଶ ଏବଂ କୋଟିଆ ପଞ୍ଚାୟତରେ ଓଡ଼ିଶାର ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ଖଣିଜ ସମ୍ପଦରେ ଭରପୂର କୋରାପୁଟ ଜିଲ୍ଲାର ବିକାଶ ପାଇଁ ନାଲକୋର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ପାଣ୍ଠିର ଖର୍ଚ୍ଚ କରିବା ସହ କମ୍ପାନୀର ବାର୍ଷିକ ଲାଭର ଏକ ନିର୍ଦ୍ଦିଷ୍ଟ ଅଂଶ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଚିଠିରେ ଶ୍ରୀକାନ୍ତ ଜେନା ନାଲକୋର ସଫଳତା ଓ କୋରାପୁଟବାସୀଙ୍କ ବିକାଶ ମଧ୍ୟରେ ରହିଥିବା ଅସଙ୍ଗତିକୁ ଉଲ୍ଲେଖ କରିଛନ୍ତି। ୧୯୮୧ରେ ପ୍ରାୟ ୨,୫୦୦ କୋଟି ଟଙ୍କାର ପ୍ରକଳ୍ପ ବିନିଯୋଗରେ ପ୍ରତିଷ୍ଠା ହୋଇଥିବା ନାଲକୋ ଆଜି ଦେଶର ଏକ ସଫଳ ସରକାରୀ ଉଦ୍ୟୋଗ ଭାବେ ପରିଚିତ। ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀ ସର୍ବାଧିକ ୫,୮୧୬ କୋଟି ଟଙ୍କାର ବାର୍ଷିକ ନିଟ୍ ଲାଭ କରିଥିବା ବେଳେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ୩,୮୩୭ କୋଟି ଟଙ୍କାର ନିଟ୍ ଲାଭ କରିଛି।

ନାଲକୋ ଓଡ଼ିଶାର ବକ୍ସାଇଟ୍ ସମ୍ପଦର ଉପଯୋଗ କରି ପ୍ରତିଷ୍ଠା ଦିନଠାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଲାଭ କରିଥିବା ସତ୍ତ୍ୱେ କୋରାପୁଟର ଆଦିବାସୀ ଓ ଖଣି ପ୍ରଭାବିତ ଅଞ୍ଚଳର ଲୋକେ ଏବେ ବି ଦାରିଦ୍ର୍ୟ ଓ ମୌଳିକ ସମସ୍ୟା ମଧ୍ୟରେ ରହିଥିବା ସେ ଚିଠିରେ ଦର୍ଶାଇଛନ୍ତି। ଖଣିଜ ସମ୍ପଦରୁ ବିପୁଳ ଲାଭ ମିଳୁଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିକାଶ ଆଶାନୁରୂପ ହୋଇନାହିଁ। ଏଥିସହ ଅନିୟନ୍ତ୍ରିତ ଖଣି ଖନନ ଯୋଗୁଁ କୋରାପୁଟର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବିପଦରେ ପଡ଼ୁଥିବା ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବିଶେଷକରି ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ସୀମା ବିବାଦର କେନ୍ଦ୍ରବିନ୍ଦୁ କୋଟିଆ ପଞ୍ଚାୟତର ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉ। ଏହାବ୍ୟତୀତ କେବଳ ଆଇନଗତ ସିଏସଆର ବ୍ୟବସ୍ଥାରେ ସୀମିତ ନରହି ନାଲକୋର ବାର୍ଷିକ ଲାଭରୁ ଏକ ନିର୍ଦ୍ଦିଷ୍ଟ ଅଂଶ ଖଣିଜ ସମ୍ପଦ ଉତ୍ପାଦନ କରୁଥିବା ଅଞ୍ଚଳର ବିକାଶ ପାଇଁ ସଂରକ୍ଷିତ ରଖିବାକୁ ସେ ଦାବି କରିଛନ୍ତି।

କେବଳ ପ୍ରଶାସନିକ ପଦକ୍ଷେପ ନୁହେଁ, ବରଂ ଦୃଶ୍ୟମାନ ବିକାଶ ଓ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ମାଧ୍ୟମରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ସୁଦୃଢ଼ କରାଯାଇପାରିବ ବୋଲି ଶ୍ରୀକାନ୍ତ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି। କୋରାପୁଟର ଖଣିଜ ସମ୍ପଦ ଯେପରି ସେଠାକାର ଲୋକଙ୍କ ଜୀବନରେ ସମୃଦ୍ଧି ଆଣିବ, ସେଥିପାଇଁ କୋଟିଆରୁ ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।