ନୂଆଦିଲ୍ଲୀ, ୨୪/୧୧: ୬ ବର୍ଷ ପରେ ପୁଣି ଏନଡିଏକୁ ଫେରିଲା ଶିରୋମଣି ଅକାଳୀ ଦଳ। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ବିଜେପି ଓ ଅକାଳୀ ଦଳ। ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ମେଣ୍ଟ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏବଂ ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ ମଧ୍ୟ ଉପସ୍ଥିତ ଥିଲେ।
ଅକାଳୀ ଦଳର ଏନଡିଏକୁ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରି ଅମିତ ଶାହ କହିଛନ୍ତି, ଶିରୋମଣି ଅକାଳୀ ଦଳ ଏନଡିଏର ସବୁଠାରୁ ପୁରୁଣା ସହଯୋଗୀ ଦଳ। ଏହି ଦଳ ପୁଣିଥରେ ଏନଡିଏ ପରିବାରକୁ ଫେରିବା ଅତ୍ୟନ୍ତ ଖୁସିର ବିଷୟ। ଉଭୟ ଦଳର ସମ୍ପର୍କ ବହୁ ପୁରୁଣା ଏବଂ ଏହି ସମ୍ପର୍କ ଆଗକୁ ମଧ୍ୟ ମଜବୁତ ରହିବ। ଏହି ମେଣ୍ଟ କେବଳ ରାଜନୈତିକ ମେଣ୍ଟ ନୁହେଁ, ବରଂ ହିନ୍ଦୁ-ଶିଖ୍ ଭାଇଚାରାର ପ୍ରତୀକ ହେବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମେଣ୍ଟକୁ ନେଇ ଖୁସି ପ୍ରକାଶ କରିଥିବା ଶାହ କହିଛନ୍ତି। ଅକାଳୀ ଦଳର ପ୍ରତ୍ୟାବର୍ତ୍ତନ ପରେ ବର୍ତ୍ତମାନ ଏନଡିଏ ପରିପୂର୍ଣ୍ଣ ହୋଇଛି। ଉଭୟ ଦଳ ଏକାଠି ହୋଇ ପଞ୍ଜାବର ବିକାଶ ଏବଂ ଲୋକଙ୍କ ସ୍ବାର୍ଥ ପାଇଁ କାମ କରିବେ ବୋଲି ସେ କହିଛନ୍ତି।
ପଞ୍ଜାବକୁ ନିଶାମୁକ୍ତ କରିବା ଉଭୟ ଦଳର ପ୍ରମୁଖ ପ୍ରାଥମିକତା। ରାଜ୍ୟରେ ନିଶା କାରବାର, ଅପରାଧୀ ଗ୍ୟାଙ୍ଗ ଏବଂ ଆଇନଶୃଙ୍ଖଳା ସମସ୍ୟାର ମୁକାବିଲା ପାଇଁ ମିଳିତ ଭାବେ କାମ କରାଯିବ। ଏହା ସହିତ କୃଷକଙ୍କ ସମସ୍ୟାର ସମାଧାନ, ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପଞ୍ଜାବର ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
୧୯୯୬ ମସିହାରୁ ବିଜେପି ଓ ଶିରୋମଣି ଅକାଳୀ ଦଳ ମଧ୍ୟରେ ମେଣ୍ଟ ରହିଥିଲା। ୧୯୯୭, ୨୦୦୭ ଓ ୨୦୧୨ ମସିହାରେ ଏହି ମେଣ୍ଟ ପଞ୍ଜାବରେ ସରକାର ଗଠନ କରିଥିଲା। ତେବେ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନକୁ ନେଇ ଉଭୟ ଦଳ ମଧ୍ୟରେ ମତଭେଦ ଦେଖାଦେଇଥିଲା।
କୃଷକଙ୍କ ଆନ୍ଦୋଳନ ଏବଂ କୃଷି ଆଇନକୁ ବିରୋଧ କରି ଶିରୋମଣି ଅକାଳୀ ଦଳ ୨୦୨୦ ସେପ୍ଟେମ୍ବରରେ ଏନଡିଏରୁ ଓହରି ଯାଇଥିଲା। ଏହା ସହିତ ଅକାଳୀ ଦଳର ନେତ୍ରୀ ହରସିମରତ କୌର ବାଦଲ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ। କିନ୍ତୁ ଦୁଇ ଦଳ ମଧ୍ୟରେ ମେଣ୍ଟ ପୁନର୍ଗଠନ ହୋଇନଥିଲା। ଦୀର୍ଘ ୬ ବର୍ଷ ପରେ ଏବେ ପୁଣି ଏକାଠି ହୋଇଛନ୍ତି ଦୁଇ ପୁରୁଣା ସହଯୋଗୀ। ଆସନ୍ତା ୨୦୨୭ ମସିହାରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟର ମୋଟ ୧୧୭ଟି ବିଧାନସଭା ଆସନ ପାଇଁ ଉଭୟ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବେ।