ଲଣ୍ଡନ ଯିବାକୁ ସିଜେପି ନେତାଙ୍କୁ ମିଳିଲାନି ଅନୁମତି

ଦିଲ୍ଲୀ ବିମାନବନ୍ଦରରେ ଅଟକିଲେ ସିଜେପି ନେତା ସୌରଭ ଦାସ

ନୂଆଦିଲ୍ଲୀ, ୨୪/୧୧: ଦିଲ୍ଲୀ ବିମାନବନ୍ଦରରେ ଅଟକିଲେ କକ୍‌ରୋଚ୍ ଜନତା ପାର୍ଟି (CJP)ର ସହ-ସଂଯୋଜକ ସୌରଭ ଦାସ। ତାଙ୍କ ପାସପୋର୍ଟରେ ଇମିଗ୍ରେସନ୍ ବିଭାଗ ପକ୍ଷରୁ ଆପତ୍ତି ଚିହ୍ନ ଲଗାଯାଇଥିବାରୁ ତାଙ୍କୁ ଲଣ୍ଡନ ଯିବାକୁ ଅନୁମତି ମିଳିନଥିବା ସେ ଅଭିଯୋଗ କରିଛନ୍ତି। ବ୍ରିଟେନର ଅକ୍ସଫୋର୍ଡ ସମେତ ଅନ୍ୟ କେତେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ‘କକ୍‌ରୋଚ୍ ମୁଭମେଣ୍ଟ’ ସମ୍ପର୍କରେ ଆଲୋଚନା କରିବାକୁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା। ମାତ୍ର ଯାତ୍ରା ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ଇମିଗ୍ରେସନ୍ ଯାଞ୍ଚ ସମୟରେ ତାଙ୍କୁ ଅଟକାଯାଇଥିବା ସେ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଏହାକୁ ସ୍ବର ଦମନ କରିବାର ପ୍ରୟାସ ବୋଲି କହିଛି ସିଜେପି।

ସୂଚନା ଅନୁସାରେ, ସୌରଭ ଦାସ ନଭେମ୍ବର ୨୩ ତାରିଖ ରାତିରେ ଲଣ୍ଡନ ଯିବା ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କର ମଙ୍ଗଳବାର ରାତି ୧ଟାରେ ଲଣ୍ଡନ ଅଭିମୁଖେ ବିମାନ ଥିଲା। କିନ୍ତୁ ଇମିଗ୍ରେସନ୍ କାଉଣ୍ଟରରେ ଯାଞ୍ଚ ସମୟରେ ତାଙ୍କ ପାସପୋର୍ଟ ଉପରେ ଆପତ୍ତି ଚିହ୍ନ ଲଗାଯାଇଥିଲା। ଏହାପରେ ତାଙ୍କୁ ବିମାନରେ ଯାତ୍ରା କରିବାକୁ ଦିଆଯାଇନଥିଲା।

ଏହି ଘଟଣା ପରେ ସୌରଭ ଦାସ ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଅକ୍ସଫୋର୍ଡ, କେମ୍ବ୍ରିଜ୍, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଏବଂ ଏଡିନବର୍ଗ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଆଲୋଚନା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଥିଲା। ଭାରତୀୟ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁ ପରିଶ୍ରମ କରିଥିବା ବେଳେ ସରକାର ତାଙ୍କୁ ଯିବାକୁ ଦେଲେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ମଧ୍ୟ ସିଜେପି ନେତାମାନେ ଏକ ଆନ୍ଦୋଳନକୁ ନେଇ ବିବାଦରେ ରହିଥିଲେ। ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀ ଓ ଏସଆଇଆରକୁ ନେଇ ସେମାନେ ଆନ୍ଦୋଳନ କରିଥିଲେ। ଏହି ସମୟରେ ସୌରଭ ଦାସ ଓ ଅନ୍ୟ କେତେକ ନେତାଙ୍କୁ ଗିରଫ କରାଯାଇ ପରେ ଜାମିନରେ ଛାଡ଼ି ଦିଆଯାଇଥିଲା।