ନୂଆଦିଲ୍ଲୀ, ୨୪/୧୧: ନେପାଳରେ ମଙ୍ଗଳବାର ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରେକର୍ଡ କରାଯାଇଛି। ଭୂମିକମ୍ପର ଝଟକା କେବଳ ନେପାଳରେ ସୀମିତ ରହିନଥିବା ବେଳେ ଭାରତର ପୂର୍ବ ଓ ଉତ୍ତର-ପୂର୍ବ ଅଞ୍ଚଳ ସମେତ ଭୁଟାନ, ବାଂଲାଦେଶ ଏବଂ ଚୀନର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ହଠାତ୍ ଘରଗୁଡ଼ିକ ଥରିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଅନେକ ଲୋକ ସୁରକ୍ଷା ଦୃଷ୍ଟିରୁ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଭୂମିକମ୍ପ ଯୋଗୁଁ ଏଯାଏଁ କୌଣସି ମୃତାହତ କିମ୍ବା ବଡ଼ଧରଣର ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ।
ଭାରତର ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS) ଅନୁସାରେ, ନଭେମ୍ବର ୨୪ ତାରିଖ ମଙ୍ଗଳବାର ସକାଳ ୭ଟା ୨ ମିନିଟ୍ ୪୭ ସେକେଣ୍ଡରେ ଏହି ଭୂମିକମ୍ପ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ନେପାଳର ପୂର୍ବାଞ୍ଚଳରେ ଥିବା କୋଶୀ ପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳରେ ରହିଥିଲା। କାଠମାଣ୍ଡୁଠାରୁ ଏହାର ଦୂରତା ପ୍ରାୟ ୨୭୫ କିଲୋମିଟର। ଭୂପୃଷ୍ଠଠାରୁ ପ୍ରାୟ ୨୦ କିଲୋମିଟର ଗଭୀରତାରେ ଏହା ସୃଷ୍ଟି ହୋଇଥିବା NCS ରେକର୍ଡ କରିଛି। ଭାରତର ବିହାର, ମେଘାଳୟ ଓ ପଶ୍ଚିମବଙ୍ଗରେ ଭୂକମ୍ପର ଝପଟି ଅନୁଭୂତ ହୋଇଥିଲା।