ଦୁଇ ମାସ ପରେ ଗ୍ୟାସ୍ ସିଲିଣ୍ଡର ଚୋରି ଘଟଣାର ପର୍ଦ୍ଦାଫାସ
୫ ଅଭିଯୁକ୍ତ ଗିରଫ, ୪୪ଟି ସିଲିଣ୍ଡର ଉଦ୍ଧାର; ବୋଲେରୋ ପିକ୍ଅପ୍ ଜବତ
ମୁନିଗୁଡ଼ା, ୨୪/୧୧(ଦକ୍ଷ ବାଥ୍ରା): ‘ଅପରେସନ୍ ପ୍ରହାର’ ଅଭିଯାନ ଅଧୀନରେ ଗ୍ୟାସ୍ ଗୋଦାମରୁ ୪୬ଟି ଭର୍ତ୍ତି ସିଲିଣ୍ଡର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ମୁନିଗୁଡ଼ା ପୁଲିସ। ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଦୀର୍ଘ ଦୁଇ ମାସ ଧରି ତଦନ୍ତ ଜାରି ରଖିବା ପରେ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୪୪ଟି ଚୋରି ସିଲିଣ୍ଡର ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ସିଲିଣ୍ଡରଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିସହ ଚୋରିରେ ବ୍ୟବହୃତ ଏକ ବୋଲେରୋ ପିକ୍ଅପ୍ ଗାଡ଼ି (OR08D6472)କୁ ମଧ୍ୟ ଜବତ କରିଛି ପୁଲିସ।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୈରବଗଡ଼ସ୍ଥିତ ସୁରେଶ ଜୈନଙ୍କ ଏଚ୍ପି ଗ୍ୟାସ୍ ଗୋଦାମରୁ ଗତ ସେପ୍ଟେମ୍ବର ୧୨ ଓ ୧୩ ତାରିଖ ରାତିରେ ତାଲା ଭାଙ୍ଗି ୪୬ଟି ଭର୍ତ୍ତି ସିଲିଣ୍ଡର ଚୋରି ହୋଇଥିଲା। ଏନେଇ ଗୋଦାମ ମାଲିକଙ୍କ ଲିଖିତ ଅଭିଯୋଗ ପରେ ମୁନିଗୁଡ଼ା ଥାନାରେ ମାମଲା (କେସ୍ ନଂ ୨୬୬) ରୁଜୁ ହୋଇଥିଲା।
ତେବେ ନଭେମ୍ବର ୨୪ ତାରିଖ ରାତିରେ ପୁଲିସ ପାଟ୍ରୋଲିଂ ସମୟରେ ଜାମାରାଗୁଡ଼ା ଗ୍ରାମ ନିକଟରେ ଜଣେ ଯୁବକଙ୍କ ହାତରେ ଗ୍ୟାସ୍ ସିଲିଣ୍ଡର ଦେଖି ସନ୍ଦେହ କରିଥିଲା। ପୁଲିସକୁ ଦେଖି ଯୁବକ ଜଣକ ସିଲିଣ୍ଡର ଛାଡ଼ି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ତାଙ୍କୁ କାବୁ କରି ପଚରାଉଚରା କରିବା ପରେ ଚୋରି ଘଟଣାର ସୁରାକ୍ ମିଳିଥିଲା।
ମୁଖ୍ୟ ଅଭିଯୁକ୍ତ ଧନୁର୍ଜୟ ଓରଫ ନିଖିଳ ଚିଚୁଆଁ (୨୩)ଙ୍କ ସୂଚନା ଆଧାରରେ ପୁଲିସ ଭୁର୍ଷିଖମାର ଗ୍ରାମରେ ଚଢ଼ଉ କରି ଅନ୍ୟ ୪ ଜଣ ସହଯୋଗୀ ଜେନା ପାଲକିଆ, ଅଶୋକ ପାଲକିଆ, ନୈରୁଧ ଓରଫ ଚେମା ଗାର୍ଡିଆ ଏବଂ ଘାସିରାମ ବତ୍ରାଙ୍କୁ ଗିରଫ କରିଥିଲା। ଏଥିସହ ଜାମାରାଗୁଡ଼ା ନିକଟସ୍ଥ ଏକ ନିଛାଟିଆ ଘରେ ଲୁଚାଇ ରଖାଯାଇଥିବା ୪୪ଟି ଏଚ୍ପି ଗ୍ୟାସ୍ ସିଲିଣ୍ଡର ଉଦ୍ଧାର କରାଯିବା ସହ ଚୋରିରେ ବ୍ୟବହୃତ ବୋଲେରୋ ପିକ୍ଅପ୍ ଗାଡ଼ିକୁ ଜବତ କରାଯାଇଥିଲା। ଚୋରି ହୋଇଥିବା ସିଲିଣ୍ଡର ମଧ୍ୟରୁ କିଛି ସିଲିଣ୍ଡରକୁ ଅଭିଯୁକ୍ତମାନେ ଗୋପନରେ ବିକ୍ରି କରି ଟଙ୍କା ବାଣ୍ଟି ନେଇଥିବା ତଦନ୍ତରୁ ଜଣାପଡ଼ିଛି।
ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉ ଓ ତଦନ୍ତ ପ୍ରକ୍ରିୟାରେ ଏସ୍ଆଇ ମହେନ୍ଦ୍ର ହେମ୍ବ୍ରମ, ଏସ୍ଆଇ ଉର୍ମିଳା ସେଠୀ, ଏଏସ୍ଆଇ ରବିନାରାୟଣ ସ୍ୱାଇଁ, ଏଏସ୍ଆଇ ଫାରୁକ୍ ମହମ୍ମଦ ଏବଂ ଏଏସ୍ଆଇ ସନ୍ତୋଷ କୁମାର ଦୋରା ପ୍ରମୁଖ ସାମିଲ ଥିଲେ। ଗିରଫ ସମସ୍ତ ୫ ଅଭିଯୁକ୍ତ ଭୁର୍ଷିଖମାର ଗ୍ରାମର ବାସିନ୍ଦା ହୋଇଥିବା ବେଳେ ପୁଲିସ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଚୋରି ହୋଇଥିବା ଅବଶିଷ୍ଟ ୨ଟି ସିଲିଣ୍ଡରର ସନ୍ଧାନ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।