ବିନ୍ଦୁସାଗରରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ
ରୁଦ୍ଧିମନ୍ତ ହେଲା ପାରମ୍ପରିକ ନୌବାଣିଜ୍ୟ ପରମ୍ପରା
ଉତ୍କଳର ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା: ଦେବୀ
ଭୁବନେଶ୍ୱର, ୨୪/୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିନ୍ଦୁସାଗର ଠାରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହୋଇଯାଇଛି। ଏକାମ୍ର ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ସଭାପତି ଶ୍ରୀ ଅଶୋକ ପଣ୍ଡା ପୌରହିତରେ ଆୟୋଜିତ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ ପୂର୍ବ ରାଷ୍ଟ୍ରଦୂତ ଶ୍ରୀ ମଳୟ ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ଉକ୍ତ କାର୍ଯ୍ଯକ୍ରମ ଜରିଆରେ ଉତ୍କଳ ପାରମ୍ପରିକ ନୌବାଣିଜ୍ୟ ପରମ୍ପରାକୁ ରୁଦ୍ଧିମନ୍ତ କରାଯାଇଛି। ଅତିଥି ମାନେ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାକୁ ସ୍ମୃତି ଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର, କର୍ପୋରେଟର ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଅତିଥି ମାନେ ଆମ ସ୍ୱର୍ଣ୍ଣିମ ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାଚୀନ କାଳରେ ବାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନ ଉଦ୍ଦେଶ୍ୟରେ ସେମାନେ ସମୁଦ୍ର ପଥରେ ସୁଦୂର ବିଦେଶକୁ ଯାତ୍ରା କରୁଥିଲେ। ଏହି ଐତିହାସିକ ଯାତ୍ରା ଓ ସେମାନଙ୍କ ଅବଦାନକୁ ସ୍ମରଣ କରି ପ୍ରତୀକାତ୍ମକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମସ୍ତ ସାଧବ ଓ ସାଧବାଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବହୁ ସଂଖ୍ୟାରେ ସ୍ଥାନୀୟ ଅଧିବାସୀ, ଶ୍ରଦ୍ଧାଳୁ, ବରିଷ୍ଠ ନାଗରିକ, ସଂସ୍କୃତି ପ୍ରେମୀ ମାନେ ଉପସ୍ଥିତ ଥିଲେ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକାମ୍ର କ୍ଷେତ୍ର ମନ୍ଦିରରେ ଭକ୍ତ ମାନଙ୍କ ବିପୁଳ ସମାଗମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ଅବିଚ୍ଛିନ୍ନ ସାଂସ୍କୃତିକ ପରିଚୟ, ଆଧ୍ୟାତ୍ମିକ ଐତିହ୍ୟ ଓ ଗୌରବମୟ ସାମୁଦ୍ରିକ ପରମ୍ପରାକୁ ପୁନର୍ବାର ଉଜ୍ଜୀବିତ କରିଛି। ଆଗାମୀ ପିଢ଼ି ପାଇଁ ରାଜ୍ୟର ଏହି ସମୃଦ୍ଧ ଐତିହ୍ୟ ସଂରକ୍ଷଣ ଓ ପ୍ରଚାର ପ୍ରସାର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା।