କୃଷିରେ ଉନ୍ନତି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛି ବିଜେପି ସରକାର: ସନ୍ତୋଷ ଖଟୁଆ
୫ ଲକ୍ଷ ଚାଷୀଙ୍କ ଅର୍ଥନୈତିକ ହତ୍ୟାକାରୀ ବିଜେଡି ସରକାର
ବିଜେପି ସରକାର ଆସିବା ପରେ କୃଷକମାନଙ୍କ ଦ୍ୱାରା ହେଉଥିବା ଫସଲ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଛି: ଇରାଶିଷ ଆଚାର୍ଯ୍ୟ
ଭୁବନେଶ୍ୱର, ୨୪/୧୧: ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ କୃଷକମାନଙ୍କର ଆର୍ôଥକ ମେରୁଦଣ୍ଡକୁ ସୁଦୃଢ଼ କରିବା ସହ ରାଜ୍ୟ ଅର୍ଥନୀତିରେ କୃଷି କ୍ଷେତ୍ରର ଅବଦାନକୁ ପୁନର୍ବାର ବୃଦ୍ଧି କରିବା ପାଇଁ ଭାରତୀୟ ଜନତା ପାର୍ଟି ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ବିଜେପି ସରକାର ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କଲା । ବିଜେପି ସରକାରଙ୍କ ପ୍ରତିବଦ୍ଧତା ଯୋଗୁଁ ଚାଷୀଙ୍କ ସଂଖ୍ୟା ବଢ଼ିଲା, ଚାଷ ଜମି ବଢ଼ିଲା ଓ ଚାଷୀଙ୍କ ସହାୟତା ରାଶି ବୃଦ୍ଧି ପାଇବାରୁ ଆଜି ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହୋଇଛି । ପୂର୍ବ ସରକାରଙ୍କ ସମୟରେ ରାଜ୍ୟ ଜିଏସଡିପିରେ କୃଷିର ଅବଦାନ ୬୦% ରୁ ଖସି ୨୦% ରେ ପହଁଚିଥିବା ବେଳେ, ବର୍ତମାନର ବିଜେପି ସରକାର କୃଷକମାନଙ୍କୁ ଅଧିକ ଅନ୍ତର୍ଭୁକ୍ତ କରିବା ସହ ଉତ୍ପାଦକତା ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏବର୍ଷ ଖରିଫ୍ ଋତୁର ଧାନ କିଣା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡିଏଲପିସି ବୈଠକ ଆରମ୍ଭ ହୋଇସାରିଛି । ପୂର୍ବ ବିଜେଡି ସରକାର ଏବଂ ବର୍ତମାନର ବିଜେପି ସରକାରଙ୍କ ତଥ୍ୟକୁ ତୁଳନା କଲେ ଚାଷୀ କଲ୍ୟାଣ କ୍ଷେତ୍ରରେ ଐତିହାସିକ ପରିବର୍ତନ ହୋଇଛି ବୋଲି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତଥ୍ୟକୁ ଆଧାର କରି ଶ୍ରୀ ଖଟୁଆ କହିଛନ୍ତି ଯେ, ୨୦୧୯-୨୦ରେ ବିଜେଡି ସରକାର ସମୟରେ ୧୪ ଲକ୍ଷ ୪୩ ହଜାର ଚାଷୀ ପଞ୍ଜୀକରଣ କରିଥିଲେ ଏବଂ ୨୦୨୩-୨୪ ବେଳକୁ ଏହି ସଂଖ୍ୟା ୨୦ ଲକ୍ଷ ୪୯ ହଜାରରେ ପହଁଚିଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ୨୦୨୩-୨୪ ମସିହାରେ ପଞ୍ଜୀକରଣ କରିଥିବା ୨୦ ଲକ୍ଷ ୪୯ ହଜାର ଚାଷୀଙ୍କ ମଧ୍ୟରୁ ମାତ୍ର ୧୫ ଲକ୍ଷ ୩୨ ହଜାର ଚାଷୀଙ୍କଠାରୁ ଧାନ କିଣାଯାଇଥିଲା ଏବଂ ୫ ଲକ୍ଷ ୧୭ ହଜାର ପ୍ରାୟ ୨୫% ଗରିବ ଚାଷୀଙ୍କୁ ଧାନ ବିକ୍ରି କରିବାରୁ ବଂଚିତ କରାଯାଇଥିଲା । ଗତ ୨୦୧୯ରୁ ୨୦୨୪ ପାଂଚ ବର୍ଷ ମଧ୍ୟରେ ପ୍ରତିବର୍ଷ ୩ ଲକ୍ଷ ରୁ ୫ ଲକ୍ଷ ଚାଷୀଙ୍କ ଧାନ କିଣା ନ ଯାଇ ସେମାନଙ୍କ ଅର୍ଥନୀତିକୁ ହତ୍ୟା କରିଥିଲା ବିଜେଡି ସରକାର । ତତ୍କାଳୀନ ବିଜେଡି ସରକାର ଦଳୀୟ ଆଧାରରେ ଚାଷୀଙ୍କଠାରୁ ଧାନ କିଣୁଥିଲା । ଯେଉଁ ଚାଷୀ ତତ୍କାଳୀନ ବିଜେଡି ସରକାରକୁ ସମର୍ଥନ କରୁନଥିଲା ସେମାନଙ୍କ ନାମ ତାଲିକାରୁ କାଟି ଦିଆଯାଉଥିଲା । ମାତ୍ର ବିଜେପି ସରକାର ଆସିବା ପରେ କୌଣସି ପାତରଅନ୍ତର ନ କରି ୫ ଲକ୍ଷ ୭୧ ହଜାର ଚାଷୀଙ୍କ ଟୋକନ ଅବଧି ସମୟ ସୀମାକୁ ବୃଦ୍ଧି କରି ସେମାନଙ୍କ ଧାନ କିଣିଛନ୍ତି ଏବଂ ୨୨ ଲକ୍ଷ ୪୮ ହଜାର ଚାଷୀଙ୍କଠାରୁ ସିଧାସଳଖ ଧାନ ସଂଗ୍ରହ କରିଛନ୍ତି । ଏବର୍ଷ ମଧ୍ୟ ପ୍ରାୟ ୨୨ ଲକ୍ଷ ୨୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି । ଖାଲି ସେତିକି ନୁହେଁ ଧାନ ଚାଷ ଓ ସଂଗ୍ରହରେ ରେକର୍ଡ ବୃଦ୍ଧି ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୫୫.୪୮ ଲକ୍ଷ ଏକର ଜମିରେ ଧାନ ଚାଷ ହେଉଥିବା ବେଳେ ବିଜେପି ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଏହା ୧୦ ଲକ୍ଷ ଏକର ବୃଦ୍ଧି ପାଇ ୬୪.୯୫ ଲକ୍ଷ (ପ୍ରାୟ ୬୫ ଲକ୍ଷ) ଏକରରେ ପହଁଚିଛି । ସେହିପରି ବିଜେଡି ସରକାର ଅମଳରେ ପାଂଚ ବର୍ଷ ଧରି ପ୍ରତିବର୍ଷ ମାତ୍ର ପ୍ରାୟ ୭୦.୫୬ ରୁ ୭୦.୮୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣୁଥିବା ବେଳେ, ବିଜେପି ସରକାର ୨୦୨୫ ମାର୍ଚ୍ଚରେ ୯୨.୬୪ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୯୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଚାଷୀଙ୍କ ଖାତାକୁ ପ୍ରାୟ ଦ୍ୱିଗୁଣିତ ଅର୍ଥ ପ୍ରଦାନ କରାଯାଇଛି । ବିଜେଡି ସରକାରଙ୍କ ଅମଳରେ ୧୫ ଲକ୍ଷ ୩୨ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୫,୪୭୩ କୋଟି ଟଙ୍କା ଯାଇଥିବା ବେଳେ, ବିଜେପି ସରକାରରେ ଅଢ଼େଇ ବର୍ଷ ମଧ୍ୟରେ ୨୨.୪୮ ଲକ୍ଷ ଚାଷୀଙ୍କ ଖାତାକୁ ପ୍ରାୟ ଦ୍ୱିଗୁଣିତ ଟଙ୍କା ଅର୍ଥାତ୍ ୩୦,୩୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ରାଜ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୨୨.୫୬ ଲକ୍ଷ ମେଟ୍ରିକ୍ ଟନ୍, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୭.୨ ଲକ୍ଷ ମେଟ୍ରିକ୍ ଟନ୍, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ୧୯.୬୮ ଲକ୍ଷ ମେଟ୍ରିକ୍ ଟନ୍, ଏସ୍ସି/ଏସ୍ଟି ହଷ୍ଟେଲ ଓ ଏସଏସଇପିଡି ପାଇଁ ୧.୨ ଲକ୍ଷ ମେଟ୍ରିକ୍ ଟନ୍, ପିଏମ୍ ପୋଷଣ ପାଇଁ ୦.୮୪ ଲକ୍ଷ ମେଟ୍ରିକ୍ ଟନ୍, ସିଏମ୍ ପୋଷଣ ପାଇଁ ୦.୩୬ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୦.୩୬ ଲକ୍ଷ ମେଟ୍ରିକ୍ ଟନ୍ ଏହିପରି ବାର୍ଷିକ ମୋଟ ୫୨.୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଆବଶ୍ୟକତା ରହିଛି । ଏଭଳିସ୍ଥିତିରେ ଯଦି ୧୦୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ ତାହଲେ ସେଥିରୁ ୬୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମିଳିପାରିବ । ଯାହା ରାଜ୍ୟର ଆବଶ୍ୟକତା ପୂରଣ କରିବା ସହ ବଳକା ଚାଉଳ ଏଫସିଆଇ ମାଧ୍ୟମରେ ଅନ୍ୟ ରାଜ୍ୟର ଚାହିଦା ପୂରଣ କରିପାରିବ ।
ପୂର୍ବରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ସହ ଓଡ଼ିଶା ଦେଶରେ ଦଶମ ସ୍ଥାନରେ ରହୁଥିବା ବେଳେ, ବର୍ତମାନ ୧୦୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ସହ ଉତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ପଞ୍ଜାବ ପଛକୁ ଓଡ଼ିଶା ଦେଶର ପଂଚମ ସ୍ଥାନକୁ ଉନ୍ନୀତ ହୋଇଛି । ମାତ୍ର ବିରୋଧୀ ଦଳ ସୋସିଆଲ ମିଡିଆରେ କେବଳ ମିଥ୍ୟା ନେରେଟିଭ କରୁଛି । ଅନ୍ୟପଟେ ବିଜେପି ସରକାର ଆଗାମୀ ଦିନରେ କୃଷିର ଅଧିକ ଅଭିବୃଦ୍ଧି ସହ ଶସ୍ୟ ବିବିଧକରଣ ମାଧ୍ୟମରେ ରାଜ୍ୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଶ୍ରୀ ଖଟୁଆ କହିଛନ୍ତି ।
ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟତମ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ଆସିବା ପରେ କୃଷକମାନଙ୍କ ଦ୍ୱାରା ହେଉଥିବା ଫସଲ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଛି । ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୧୫ ଲକ୍ଷରୁ ବୃଦ୍ଧି ପାଇ ୨୨ ଲକ୍ଷରେ ପହଁଚିଛି, ଅର୍ଥାତ୍ ପ୍ରାୟ ୭ ଲକ୍ଷ ନୂଆ ଚାଷୀ ଏଥିରେ ଯୋଡ଼ି ହୋଇଛନ୍ତି । ଏଥିସହ ଚାଷ ଜମିର ପରିମାଣ ବୃଦ୍ଧି ପାଇଛି । ବିଜେପି ସରକାରରେ ଧାନ ସଂଗ୍ରହ ପରିମାଣ ୭୦ ଲକ୍ଷ ମେଟ୍ରିକ୍ ଟନ୍ରୁ ପ୍ରାୟ ୯୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଚାଷୀମାନଙ୍କର ଆର୍ôଥକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଥିଲେ । ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ହଳଦୀପାଲି ପଡ଼ିଆରେ ୨୦୧୫ରେ କୁଇଂଟାଲ ପିଛା ୧୦୦ ଟଙ୍କା ଇନପୁଟ୍ ସବସିଡି ଦେବାର ଘୋଷଣା କରିଥିଲେ ମଧ୍ୟ ୨୦୨୪ ପର୍ଯ୍ୟନ୍ତ ଚାଷୀମାନଙ୍କୁ ତାହା ମିଳିନଥିଲା । ମାତ୍ର ବିଜେପି ସରକାର ଗଠନ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ପ୍ରଥମ କ୍ୟାବିନେଟ୍ ବୈଠକରେ ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କା କରିବାକୁ ନିଷ୍ପତି ନେଇଥିଲେ ଏବଂ ସୋହେଲା ଇଚ୍ଛାପାଲି ପଡ଼ିଆରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ପଦକ୍ଷେପ ଯୋଗୁଁ ଆଜି ଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ପଂଚମ ସ୍ଥାନରେ ପହଁଚି ପାରିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ପୂର୍ବ ସରକାରଙ୍କ କାଳିଆ ଯୋଜନା ପରିବର୍ତେ ବିଜେପି ସରକାର ପିଏମ୍ କିଷାନ ଏବଂ ସିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଠିକ୍ ସମୟରେ ସାର ଓ କୀଟନାଶକ କିଣିବା ପାଇଁ ସିଧାସଳଖ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି । ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିସିଟିଭି କ୍ୟାମେରା ଲଗାଇବା ସହ ଚାଷୀମାନଙ୍କୁ ଠିକ୍ ଭାବରେ କାର୍ଡ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଟୋକନ୍ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବିଧାୟକମାନେ ମଣ୍ଡିରେ ଉପସ୍ଥିତ ରହି ଧାନ ବିକ୍ରୟ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । କେବଳ ଧାନ ଚାଷ ନୁହେଁ, ବରଂ ଶସ୍ୟ ବିବିଧକରଣ ଏବଂ କୃଷିଭିତିକ ଅର୍ଥନୀତିକୁ ମଜଭୁତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା” ମାଧ୍ୟମରେ ପ୍ରତ୍ୟେକ ପଂଚାୟତରେ କୁକୁଡ଼ା ଫାର୍ମ, ଅଣ୍ଡା ଫାର୍ମ, ଛେଳି ଚାଷ, ମାଛ ଚାଷ, ଗୋପାଳନ ଏବଂ ଦୁଗ୍ଧ ଚାଷ ପାଇଁ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପାମ୍ ଅଏଲ୍ ଚାଷ, ତଥା ରାଜ୍ୟର ବିଭିନ୍ନ ଅଂଚଳରେ କପା, ମାଣ୍ଡିଆ ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଡବଲ୍ ଇଞ୍ଜିନ୍ ସରକାର କୃଷକମାନଙ୍କ ଅଧିକାରକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ନରସିଂହ ମାଡ଼କାମୀ ଓ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।