ସାଧବଙ୍କ ବୋଇତରୁ ଜାହାଜ ନିର୍ମାଣ କେନ୍ଦ୍ର, ଓଡ଼ିଶାରେ ସମୁଦ୍ରଯାତ୍ରାର ନୁଆଯୁଗ: ସତ୍ୟବ୍ରତ ପଣ୍ଡା
‘ବୋଇତ ଭସାଇବା ବେଳେ ମନେ ପଡ଼େ ଆମ ସାଧବ ପୁଅଙ୍କ ସାହସ’
ଭୁବନେଶ୍ୱର, ୨୪/୧୧: ପବିତ୍ର କାର୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଓ ବାଲିଯାତ୍ରା ଅବସରରେ ଭାରତୀୟ ଜନତା ପାର୍ଟିର ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କାର୍ତ୍ତିକ ପୂର୍ଣ୍ଣିମାର ଭୋରରେ ଦୀପ ଜାଳି ବୋଇତ ଭସାଇବା ବେଳେ ମନେ ପଡ଼େ ଆମ ସାଧବ ପୁଅଙ୍କ ସାହସ । ସେମାନେ ବଙ୍ଗୋପସାଗର ପାର ହୋଇ ବାଲି, ଜାଭା ଓ ସୁମାତ୍ରା ସହ ବାଣିଜ୍ୟିକ ସମ୍ପର୍କ ଗଢ଼ିଥିଲେ । କଟକର ବାଲିଯାତ୍ରା ସେହି ଗୌରବର ଜୀବନ୍ତ ସ୍ମୃତି । ଆଜି ସେହି ମହାନଦୀ ମୁହାଣରେ, ପାରାଦୀପ ନିକଟ କେନ୍ଦ୍ରାପଡ଼ାରେ, ଆଧୁନିକ ବାଣିଜ୍ୟିକ ଜାହାଜ ନିର୍ମାଣର ସୁଯୋଗ ଖୋଲିଛି ।
କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଆକଳନ ଅନୁଯାୟୀ, ସମୁଦ୍ରପଥରେ ପଣ୍ୟ ପରିବହନ ପାଇଁ ଭାରତ ବିଦେଶୀ ଜାହାଜ କମ୍ପାନୀଗୁଡ଼ିକୁ ବର୍ଷକୁ ପ୍ରାୟ ୬.୨୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରୁଛି । ଏହା ଭାରତ କିଣୁଥିବା ଏକ ଆବଶ୍ୟକ ସେବାର ମୂଲ୍ୟ । ଏହି ଅଙ୍କ ଦର୍ଶାଉଛି ଯେ, ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ପ୍ରତିଯୋଗିତା କରିବାକୁ କେତେ ବଡ଼ ବଜାର ରହିଛି । ୨୦୨୫ରେ ବିଶ୍ୱରେ ୭୭୨.୮୦ ଲକ୍ଷ ଗ୍ରସ୍ ଟନେଜ୍ (ଜିଟି) କ୍ଷମତାର ବାଣିଜ୍ୟିକ ଜାହାଜ ଗ୍ରାହକଙ୍କୁ ହସ୍ତାନ୍ତର ହୋଇଥିବା ବେଳେ ଭାରତୀୟ ଜାହାଜ ନିର୍ମାଣ କେନ୍ଦ୍ରଗୁଡ଼ିକର ଅବଦାନ ଥିଲା ମାତ୍ର ୫୭,୬୩୭ ଜିଟି । ଟନେଜ୍ ହିସାବରେ ଚୀନ୍, ଦକ୍ଷିଣ କୋରିଆ ଓ ଜାପାନର ମିଳିତ ଅଂଶ ୯୪.୨ ପ୍ରତିଶତ, ଭାରତର ୦.୦୭୫ ପ୍ରତିଶତ । ବାଣିଜ୍ୟ ପାଇଁ ସମୁଦ୍ରପଥ ଉପରେ ଏତେ ନିର୍ଭର କରୁଥିବା ଦେଶ ପାଇଁ ଏହି ବ୍ୟବଧାନ ଅନେକ ବଡ଼ । ବିଶ୍ୱ ବଜାରରେ ଭାରତର ଅଂଶ ସାମାନ୍ୟ ବଢ଼ିଲେ ବି ଦେଶୀ ନିର୍ମାତାଙ୍କ କାରବାର ଉଲ୍ଲେଖନୀୟ ଭାବେ ବଢ଼ିପାରିବ ବୋଲି ଶ୍ରୀ ପଣ୍ଡା ଆକଳନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ୍ ଇଞ୍ଜିନ୍ ସରକାର କେନ୍ଦ୍ରାପଡ଼ା ପ୍ରକଳ୍ପକୁ ଆଗେଇ ନେଉଛନ୍ତି । ଓଡ଼ିଶା ସାମୁଦ୍ରିକ ବୋର୍ଡ ଓ ପାରାଦୀପ ବନ୍ଦର ପ୍ରାଧିକରଣର ୫୦:୫୦ ଭାଗୀଦାରିରେ ଗଢ଼ାଯାଉଥିବା ଏହି ପ୍ରକଳ୍ପକୁ ଅଗଷ୍ଟ ୧୦ରେ ନୀତିଗତ ଅନୁମୋଦନ ମିଳିଛି । ପ୍ରାୟ ୨,୦୦୦ ଏକର ପରିମିତ ଏହି ପ୍ରସ୍ତାବିତ କେନ୍ଦ୍ର ପାଇଁ ୨୪,୪୮୪ କୋଟି ଟଙ୍କାର ନିବେଶ ଆକର୍ଷଣ କରିବାର ଲକ୍ଷ୍ୟ ରହିଛି । ପ୍ରସ୍ତାବିତ ବାର୍ଷିକ ନିର୍ମାଣ କ୍ଷମତା ୧୩ ଲକ୍ଷ ଜିଟି । ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
କେନ୍ଦ୍ରର ୬୯,୭୨୫ କୋଟି ଟଙ୍କାର ସାମୁଦ୍ରିକ ପ୍ୟାକେଜ୍ରେ ଜାହାଜ ନିର୍ମାଣ ସହାୟତା ପାଇଁ ୨୪,୭୩୬ କୋଟି, ସାମୁଦ୍ରିକ ବିକାଶ ପାଣ୍ଠି ପାଇଁ ୨୫,୦୦୦ କୋଟି ଓ ନିର୍ମାଣ କ୍ଷମତା ବୃଦ୍ଧି ପାଇଁ ୧୯,୯୮୯ କୋଟି ଟଙ୍କା ରହିଛି । ଦେଶରେ ଲକ୍ଷ ଧାର୍ଯ୍ୟ ହୋଇଥିବା ୪୦୦ରୁ ଅଧିକ ଜାହାଜ ନିର୍ମାଣ ଆବଶ୍ୟକତା ପୂରଣ ପାଇଁ ସମ୍ଭାବ୍ୟ କ୍ରୟ ବ୍ୟୟ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ । ଏହି ବଜାର ଓଡ଼ିଶାର ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ । ରାଉରକେଲାର ପ୍ରମାଣିତ ଜାହାଜ ନିର୍ମାଣ ଉପଯୋଗୀ ଇସ୍ପାତ, ପାରାଦୀପର ବନ୍ଦର ସୁବିଧା ଓ କେନ୍ଦ୍ରାପଡ଼ାର ପ୍ରସ୍ତାବିତ ନିର୍ମାଣ କେନ୍ଦ୍ର ଯୋଡ଼ି ହେଲେ ଓଡ଼ିଶାରେ ହିଁ ଅଧିକ ଶିଳ୍ପ ଆୟ ସୃଷ୍ଟି ହେବ । ଜାହାଜ ମରାମତି ଓ ଯନ୍ତ୍ରାଂଶ ଯୋଗାଣରେ କ୍ଷୁଦ୍ର ଉଦ୍ୟୋଗ ପାଇଁ ବଜାର ଖୋଲିବ । ଓଡ଼ିଆ ଯୁବକ ଓ ଯୁବତୀଙ୍କ ପାଇଁ ଦକ୍ଷତା ଅର୍ଜନ ଓ ରୋଜଗାରର ବାଟ ଫିଟିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଯେଉଁ ମାଟିର ସାଧବମାନେ ଦିନେ ବୋଇତ ନେଇ ବିଦେଶକୁ ଯାଉଥିଲେ, ସେହି ମାଟିରେ ତିଆରି ଜାହାଜ ଦିନେ ବିଶ୍ୱର ବନ୍ଦରଗୁଡ଼ିକରେ ପହଁଚୁ । ବୋଇତ ବନ୍ଦାଣରେ ଏହା ହେଉ ଆମ ସମସ୍ତଙ୍କ ସଂକଳ୍ପ । ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ପରିବାରକୁ ସୁଖ ଓ ସମୃଦ୍ଧିରେ ଭରିଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ନିଜ ଶୁଭେଚ୍ଛା ବାର୍ତାରେ ଆଶା ପ୍ରକାଶ କରିଛନ୍ତି ।