ଭୁବନେଶ୍ୱର ବାର୍ ଆସୋସିଏସନ୍ ଓ ବିଜେପି ଲିଗାଲ୍ ସେଲ୍‌ର ଉଦ୍ୟମରେ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱାସନ

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରେ ଆନୁଷ୍ଠାନିକ ସ୍ମାରକପତ୍ର ଦାଖଲ

ଭୁବନେଶ୍ୱର, ୨୭/୧୧: ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳର ବାସିନ୍ଦାଙ୍କୁ ଜାରି କରାଯାଇଥିବା ସିଲିଂ ନୋଟିସ୍‌କୁ ନେଇ ବିଭିନ୍ନ ସଂଘ ପକ୍ଷରୁ ଭୁବନେଶ୍ୱର ବାର୍ ଆସୋସିଏସନ୍‌ ନିକଟରେ ଏକାଧିକ ଅଭିଯୋଗ ଓ ହସ୍ତକ୍ଷେପ ପାଇଁ ଅନୁରୋଧ ଦାଖଲ କରାଯାଇଥିଲା।

ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଭାବେ ବିଚାର କରି ଭୁବନେଶ୍ୱର ବାର୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଓ ଭୁବନେଶ୍ୱର ମହାନଗର ନିଗମ (BMC)ର ଯୋଜନା ସଦସ୍ୟଙ୍କ ସହ ଆଲୋଚନା କରାଯିବା ସହ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିକଟରେ ମଧ୍ୟ ଏ ସମ୍ପର୍କରେ ଆନୁଷ୍ଠାନିକ ସ୍ମାରକପତ୍ର ଦାଖଲ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଥିବାରୁ ଏହାର ସମାଧାନ ପାଇଁ ଆସୋସିଏସନ୍ ପକ୍ଷରୁ ଉଦ୍ୟମ ଜାରି ରହିଥିଲା।

ଏହି କ୍ରମରେ ଆଜି ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ ସୁମନ ରାଉତରାୟ ରାଜ୍ୟର ମାନ୍ୟବର ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଏହି ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବାର୍ ଆସୋସିଏସନ୍‌ର ସମ୍ପାଦକଙ୍କ ସହ ବିଷୟଟିକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ବିଜେପି ଲିଗାଲ୍ ସେଲ୍‌ର ଆବାହକ ଶ୍ରୀ ଜୟନ୍ତ କୁମାର ଜେନା ଉପସ୍ଥିତ ରହି ଏହି ପ୍ରସଙ୍ଗରେ ନିଜ ନିଜର ମତାମତ ରଖିଥିଲେ।

ଆଲୋଚନା ପରେ ମାନ୍ୟବର ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ଓଡ଼ିଶା ସରକାର ସମଗ୍ର ଘଟଣାର ସମୀକ୍ଷା କରିବେ ଏବଂ ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇ ଉଦାରତାର ସହ ବିଷୟଟିର ବିଚାର କରିବେ। ଏଥିସହିତ ମାନ୍ୟବର ସୁପ୍ରିମକୋର୍ଟରେ ଏହି ମାମଲା ବିଚାରାଧୀନ ଥିବାରୁ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ମଧ୍ୟରେ ଅଯଥା ଭୟ ଓ ଆତଙ୍କ ସୃଷ୍ଟି କରିବା ଭଳି କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ।

ଜନସାଧାରଣଙ୍କ ସ୍ୱାର୍ଥ, ଆଇନଗତ ଅଧିକାର ଓ ନ୍ୟାୟସଙ୍ଗତ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ଆଲୋଚନା ଓ ଆଶ୍ୱାସନାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।