ଜମ୍ମୁ-କାଶ୍ମୀର, ୨୬/୧୧: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। କାଶ୍ମୀର ଘାଟିରେ ବର୍ତ୍ତମାନ କୌଣସି ସକ୍ରିୟ ସ୍ଥାନୀୟ ଆତଙ୍କବାଦୀ ନଥିବା ବେଳେ ପ୍ରାୟ ୬୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀ ପକ୍ଷରୁ ବ୍ୟାପକ ଖୋଜାଖୋଜି ଜାରି ରହିଛି। ଏହି ଆତଙ୍କବାଦୀମାନେ ଘାଟିର ବିଭିନ୍ନ ଅଞ୍ଚଳରେ ଲୁଚି ରହିଥିବା ଆଶଙ୍କା କରାଯାଉଛି।
ସୁରକ୍ଷାବାହିନୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ୬୫ ଜଣ ବିଦେଶୀ ଆତଙ୍କବାଦୀଙ୍କ ମଧ୍ୟରୁ ୩୫ ଜଣ ଲସ୍କର-ଏ-ତୋଇବା (LeT) ସହ ଜଡ଼ିତ ଥିବାବେଳେ ୨୫ ଜଣ ଜୈଶ-ଏ-ମହମ୍ମଦ (JeM) ସଂଗଠନର ସଦସ୍ୟ। ଅବଶିଷ୍ଟ ୫ ଜଣ ଅନ୍ୟ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ଥିବା ଆଶଙ୍କା କରାଯାଉଛି। ଏହି ଆତଙ୍କବାଦୀଙ୍କ ଗତିବିଧି ଉପରେ ବିଭିନ୍ନ ଗୁଇନ୍ଦା ସଂସ୍ଥା ନଜର ରଖିଛନ୍ତି। ତେବେ ସେମାନେ ବାରମ୍ବାର ନିଜର ଠିକଣା ବଦଳାଉଥିବାରୁ ସେମାନଙ୍କ ସଠିକ୍ ସଂଖ୍ୟା ଓ ଅବସ୍ଥିତି ଜାଣିବା କଷ୍ଟକର ହେଉଛି।
ନଭେମ୍ବର ୧୮ ତାରିଖରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଜଙ୍ଗଲପୋରା ଅଞ୍ଚଳରେ ସୁରକ୍ଷାବାହିନୀ ଲସ୍କର-ଏ-ତୋଇବାର ଆତଙ୍କବାଦୀ କମାଣ୍ଡର ମହମ୍ମଦ ଲତିଫ ଭଟ୍ଟଙ୍କୁ ନିପାତ କରାଯିବା ପରେ କାଶ୍ମୀର ଘାଟିରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଶୂନ ରହିଛି।
୨୨ ବର୍ଷୀୟ ଲତିଫ ଭଟ୍ଟ କାଶ୍ମୀର ଘାଟିରେ ସକ୍ରିୟ ଥିବା ଶେଷ ଜଣାଶୁଣା ସ୍ଥାନୀୟ ଆତଙ୍କବାଦୀ ଥିଲେ। ତାକୁ ଧରିବା ପାଇଁ ସୁରକ୍ଷାବାହିନୀ ପ୍ରାୟ ୮ ଦିନ ଧରି ଅଭିଯାନ ଚଳାଇଥିଲା। ଏହାର ଦୁଇ ଦିନ ପୂର୍ବରୁ ନଭେମ୍ବର ୧୬ରେ କୁଲଗାମର ଲାର୍ନୁ ଅଞ୍ଚଳରେ ତାର ସହଯୋଗୀ ଉମର ନିସାର ଦାର ମଧ୍ୟ ଏନକାଉଣ୍ଟରରେ ନିହତ ହୋଇଥିଲେ। ଏହି ଦୁଇ ଜଣ ନଭେମ୍ବର ୧୧ରେ ଏକ ସିଆରପିଏଫ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ସହ ଜଡ଼ିତ ଥିବା ପୋଲିସ ସନ୍ଦେହ କରୁଥିଲା। ସେହି ଆକ୍ରମଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ।
ପାକିସ୍ତାନୀ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷାବାହିନୀ ନିଜର ରଣନୀତିକୁ ଆହୁରି ମଜବୁତ କରିଛି। ଜମ୍ମୁ-କାଶ୍ମୀରର ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଓ ଘଞ୍ଚ ଜଙ୍ଗଲରେ ୮୦ରୁ ଅଧିକ ଅସ୍ଥାୟୀ ଅପରେସନାଲ ବେସ୍ ସ୍ଥାପନ କରାଯାଇଛି।
ଏଥିମଧ୍ୟରୁ କେତେକ ଶିବିର ସମୁଦ୍ରପତ୍ତନଠାରୁ ୧୦ ହଜାର ଫୁଟରୁ ଅଧିକ ଉଚ୍ଚତାରେ ରହିଛି। ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ-କାଶ୍ମୀର ପୋଲିସର ଯବାନମାନେ ଏହି ଶିବିରଗୁଡ଼ିକରେ ମୁତୟନ ହୋଇଛନ୍ତି।
ଆତଙ୍କବାଦୀମାନେ ଜଙ୍ଗଲ, ପାହାଡ଼ିଆ ଗୁମ୍ଫା ଓ ମେଷପାଳକମାନେ ବ୍ୟବହାର କରୁଥିବା ପାରମ୍ପରିକ ମାଟି ଓ ପଥରର ଘର (ଢୋକ୍) ମଧ୍ୟରେ ଲୁଚି ରହୁଥିବା ଆଶଙ୍କା ରହିଛି। ତେଣୁ ଏଭଳି ଦୁର୍ଗମ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇବା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ସୁରକ୍ଷା ପ୍ରତିଷ୍ଠାନର ଆକଳନ ଅନୁସାରେ, ୨୦୨୪ରେ ଜମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା ପ୍ରାୟ ୯୧ ଥିଲା। ଏଥିରେ ସ୍ଥାନୀୟ ଓ ବିଦେଶୀ ଆତଙ୍କବାଦୀ ଉଭୟ ସାମିଲ ଥିଲେ। କିନ୍ତୁ ଲଗାତାର ସୁରକ୍ଷା ଅଭିଯାନ, ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ ଓ ଆତଙ୍କବାଦୀ ନେଟୱର୍କକୁ ଦୁର୍ବଳ କରିବା ଯୋଗୁଁ ଏହି ସଂଖ୍ୟା ହ୍ରାସ ପାଇଛି।
୨୦୨୨ରେ ଜମ୍ମୁ-କାଶ୍ମୀରରେ ପ୍ରାୟ ୧୩୫ ଜଣ ସକ୍ରିୟ ଆତଙ୍କବାଦୀ ଥିଲେ। ଏଥିରୁ ୮୫ ଜଣ ବିଦେଶୀ ଓ ୫୦ ଜଣ ସ୍ଥାନୀୟ ଥିଲେ। ଏବେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଶୂନ୍ୟକୁ ଖସିଥିବା ବେଳେ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିବା ସୁରକ୍ଷାବାହିନୀର ପ୍ରମୁଖ ଲକ୍ଷ୍ୟ ହୋଇଛି।
ଜମ୍ମୁ-କାଶ୍ମୀରରେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକାଧିକ ଦିଗରୁ କାମ କରୁଛନ୍ତି। ସୀମାପାର ଅନୁପ୍ରବେଶ ରୋକିବା ସହ ଆତଙ୍କବାଦୀଙ୍କୁ ଆଶ୍ରୟ, ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଉଥିବା ନେଟୱର୍କ ଉପରେ ମଧ୍ୟ ନଜର ରଖାଯାଇଛି।