ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ମାସିକ ପାରିଶ୍ରମିକ ବୃଦ୍ଧି ସହ ଅନୁକମ୍ପାମୂଳକ ଓ ଅବସରକାଳୀନ ସହାୟତା ରାଶିରେ ବ୍ୟାପକ ବୃଦ୍ଧି

ଭୁବନେଶ୍ୱର, ୨୭/୧୧: ରାଜ୍ୟର ମହିଳା ଓ ଶିଶୁମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କର ଅତୁଳନୀୟ ଅବଦାନ ରହିଛି। ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନରେ ସେମାନଙ୍କ ନିଷ୍ଠା, ପରିଶ୍ରମ ଓ ସେବା ମନୋଭାବକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ୟାକେଜ୍‌ ଓ କଲ୍ୟାଣକାରୀ ପଦକ୍ଷେପ ଘୋଷଣା କରିଛନ୍ତି।

ଏହି ଘୋଷଣା ଅନୁଯାୟୀ, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ମାସିକ ପାରିଶ୍ରମିକରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ଏଣିକି ଅଙ୍ଗନୱାଡ଼ି କର୍ମୀମାନେ ପୂର୍ବରୁ ପାଉଥିବା ମାସିକ ₹୧୦,୦୦୦ ପରିବର୍ତ୍ତେ ₹୧୨,୦୦୦ ପାଇବେ ଏବଂ ଅଙ୍ଗନୱାଡ଼ି ସହାୟିକାମାନଙ୍କ ମାସିକ ପାରିଶ୍ରମିକ ₹୫,୦୦୦ ରୁ ବୃଦ୍ଧି ପାଇ ₹୬,୦୦୦ ହୋଇଛି। ଏହା ସହିତ, କର୍ମୀ ଓ ସହାୟିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଅନୁକମ୍ପାମୂଳକ ସହାୟତା ରାଶି (Ex-gratia) କୁ ₹୨ ଲକ୍ଷରୁ ଦ୍ୱିଗୁଣିତ କରି ₹୪ ଲକ୍ଷ କରାଯାଇଛି। ସେହିପରି, ଅବସରକାଳୀନ ଆର୍ଥିକ ସହାୟତା (Exit Policy) ରାଶିରେ ତିନିଗୁଣ ବୃଦ୍ଧି କରାଯାଇ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ₹୧ ଲକ୍ଷ ପରିବର୍ତ୍ତେ ₹୩ ଲକ୍ଷ ଏବଂ ଅଙ୍ଗନୱାଡ଼ି ସହାୟିକାମାନଙ୍କ ପାଇଁ ₹୫୦,୦୦୦ ପରିବର୍ତ୍ତେ ₹୧,୫୦,୦୦୦ ଧାର୍ଯ୍ୟ କରାଯାଇଛି।

 

ଏତଦ୍‌ବ୍ୟତୀତ, ପୂର୍ବ ଭଳି ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବାର୍ଷିକ ଆର୍ଥିକ ପ୍ରୋତ୍ସାହନ ଜାରି ରହିବ। ଏହା ଅଧୀନରେ ଅଙ୍ଗନୱାଡ଼ି କର୍ମୀମାନେ ବାର୍ଷିକ ମୋଟ ₹୧୮,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ, ଯେଉଁଥିରେ ପୋଷଣ ଅଭିଯାନରେ ₹୬,୦୦୦, ମମତା–PMMVY ରେ ହାରାହାରି ₹୨,୦୦୦ ଏବଂ ସୁଭଦ୍ରା ଯୋଜନାରେ ₹୧୦,୦୦୦ ଅନ୍ତର୍ଭୁକ୍ତ ରହିଛି। ଅନୁରୂପ ଭାବରେ, ଅଙ୍ଗନୱାଡ଼ି ସହାୟିକାମାନେ ବାର୍ଷିକ ମୋଟ ₹୧୪,୨୦୦ ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ, ଯେଉଁଥିରେ ପୋଷଣ ଅଭିଯାନରେ ₹୩,୦୦୦, ମମତା–PMMVY ରେ ହାରାହାରି ₹୧,୨୦୦ ଏବଂ ସୁଭଦ୍ରା ଯୋଜନାରେ ₹୧୦,୦୦୦ ସାମିଲ ଅଛି।

ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ସମ୍ମାନ, ମର୍ଯ୍ୟାଦା ଓ ଆର୍ଥିକ ସୁରକ୍ଷା ପାଇଁ ସର୍ବଦା ପ୍ରତିବଦ୍ଧ। ଏହି ନିଷ୍ପତ୍ତିଗୁଡ଼ିକ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କ କାର୍ଯ୍ୟକୁ ଆହୁରି ଉତ୍ସାହିତ କରିବ ବୋଲି ସେ ଆଶା ପ୍ରକାଶ କରିବା ସହ ଏକ ସୁସ୍ଥ, ସୁପୋଷିତ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ମିଳିମିଶି ସାକାର କରିବାକୁ ଆହ୍ୱାନ ଦେଇଛନ୍ତି।

 

ସୂଚନାଯୋଗ୍ୟ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଆଜି ପୂର୍ବରୁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ କରାଯାଇଛି। ରାଜ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସମସ୍ୟା ତଥା ଅଙ୍ଗନବାଡ଼ି କର୍ମୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ସମାଧାନ ଏବଂ ଶିଶୁମାନଙ୍କ ସାମଗ୍ରିକ ବିକାଶକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ସଚିବ ଶ୍ରୀ ସଞ୍ଜୀବ ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମୃଣାଳିନୀ ଦର୍ଶୱାଲ ଏବଂ ବିଭାଗୀୟ ସଚିବ ଶ୍ରୀମତୀ ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।