କଟକ, ୨୮/୧୧: କଟକର ଗଣେଶଘାଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟି ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ପୋଲିସ ୨୧ ଜଣଙ୍କୁ ଅଟକ ରଖିଛି। ଶନିବାର ପୁରୀଘାଟ ଥାନା ପୋଲିସ ଏହି ସୂଚନା ଦେଇଛି। ମୃତକ ହେଉଛନ୍ତି ଗଣେଶଘାଟର ସାମଲ ସାହି ବାସିନ୍ଦା ଅମରେନ୍ଦ୍ର ସାମଲ (୫୦) ଓରଫ ବୁଲୁ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଏହି ସଂଘର୍ଷ ଘଟିଥିଲା। ପୁରୀଘାଟ ନିକଟ ବୁରୁଜ ସାହି ଓ ଗଣେଶଘାଟର ସାମଲ ସାହିର କିଛି ଯୁବକଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ବଚସା ହୋଇଥିଲା। ତେବେ ଏହି ବଚସା ଧୀରେ ଧୀରେ ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷର ଲୋକେ ପରସ୍ପରକୁ ଆକ୍ରମଣ କରିଥିଲେ।
ଏହି ସଂଘର୍ଷ ସମୟରେ ଉଭୟ ଗୋଷ୍ଠୀ ପକ୍ଷରୁ ଧାରୁଆ ଅସ୍ତ୍ର, ପଥର ଓ କାଚ ବୋତଲରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ। ଏପରିକି ସ୍ଥାନୀୟ ଅଞ୍ଚଳର କିଛି ଦୋକାନ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।
ଖବର ପାଇ କଟକ ଡିସିପି ଋଷିକେଶ ଖିଲାରୀ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଯାହା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅମରେନ୍ଦ୍ର ସାମଲଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଅନ୍ୟପଟେ ଶନିବାର ଗଣେଶଘାଟ ଛକରେ ଉତ୍ତେଜନା ଦେଖାଦେଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସଂଘର୍ଷ ପଛର ପ୍ରକୃତ କାରଣ କ’ଣ ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ କରୁଛି ପୋଲିସ।