ବନ୍ୟା କ୍ଷୟକ୍ଷତି ଓ ସହାୟତା ବଣ୍ଟନ ନେଇ ସମୀକ୍ଷା ବୈଠକ

ମାସ ଶେଷ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ନିର୍ଦ୍ଦେଶ

ପାତ୍ରପୁର,୨୮/୧୧ (ସୁରେଶ କୁମାର ପଟ୍ଟନାୟକ): ବାତ୍ୟା ପରବର୍ତ୍ତୀ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ସହ ହିତାଧିକାରୀଙ୍କୁ ରିଲିଫ୍ ଓ ଆର୍ଥିକ ସହାୟତା ବଣ୍ଟନ ତ୍ୱରାନ୍ୱିତ କରିବା ନେଇ ପାତ୍ରପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ଏବଂ ରିଲିଫ୍ ସହାୟତା ବଣ୍ଟନର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଶତପ୍ରତିଶତ ସହାୟତା ପ୍ରଦାନ କରିବାକୁ ବିଡିଓ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଦୁଇଦିନ ମଧ୍ୟରେ ବଣ୍ଟନ ପ୍ରକ୍ରିୟାର ସମସ୍ତ ବାକି କାର୍ଯ୍ୟ ଶେଷ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ କୁହାଯାଇଥିଲା। କାର୍ଯ୍ୟରେ ଅବହେଳା କିମ୍ବା ବିଳମ୍ବ ହେଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ।