ଗଂଜେଇ ପାଇଁ ଯାଉଥିବା ବେଳେ ଗଣ୍ଡଗୋଳ ହୋଇ ହତ୍ୟାକାଣ୍ଡ; ଶବକୁ ଫିଙ୍ଗି ଫେରାର ହୋଇଥିଲେ ଦୁଇ ବନ୍ଧୁ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଗୁଣ୍ଡଲଗୁଡା ନିକଟରେ ହୋଇଥିବା ହତ୍ୟାକାଣ୍ଡର ପର୍ଦାଫାସ କରିଛି ମାଲକାଗିରି ପୁଲିସ। ଗତ ନଭେମ୍ବର ୧୭ ତାରିଖ ଦିନ କଣ୍ଡଲଗୁଡା ଏବଂ ସିନ୍ଧ୍ରିମାଳ ଅଂଚଳର କିଛି ବ୍ୟକ୍ତି ଗଂଜେଇ ଆଣିବା ପାଇଁ ବାହାରିଥିଲେ। ତେବେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଏତେ ବଢିଯାଇଥିଲା ଯେ ସିନ୍ଧ୍ରିମାଳର ରାମ ଚନ୍ଦ୍ର ମାଝିଙ୍କୁ କଣ୍ଡଲଗୁଡା ଗ୍ରାମର ଲୋକନାଥ ସିରଗାମ ଏବଂ ଖଗେଶ୍ବର ଓଡାରି ହତ୍ୟା କରି ସେହି ଗ୍ରାମ ନିକଟରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଂକର ପତ୍ତା ମିଳିନଥିଲା। କୋଣ୍ଡେଲଗୁଡା ଗ୍ରାମ ନିକଟରେ ଏକ କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା। ପୁଲିସ ଖବର ପାଇ କଙ୍କାଳର ତଦନ୍ତ କରିବା ପରେ ସେ ସିନ୍ଧ୍ରିମାଳ ଗ୍ରାମର ରାମ ମାଝି ବୋଲି ଜଣାପଡିବା ପରେ ନିଜ ତରଫରୁ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣା ପଡିଥିଲା ଯେ ଗଂଜେଇ ପାଇଁ ଯାଉଥିବା ବେଳେ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ହୋଇ ମାରପିଟ ହେବା ସହ ହତ୍ୟା ଭଳି କାଣ୍ଡ ଘଟିଥିଲା। ପୁଲିସ ଦୁଇ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।