ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଦୀର୍ଘଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ଶିକ୍ଷକମାନେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଛନ୍ତି ଓ ନୋଟିସର ଜବାବ ରଖୁନାହାନ୍ତି, ସେମାନଙ୍କ ବିରୋଧରେ ନୀତିଗତ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ହୋଇଛି। ସେହିପରି ଏ ଯାଏଁ ୯୬ ଜଣ ଶିକ୍ଷକଙ୍କ ଖୋଜ ଖବର ମିଳୁନାହିଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି। ଅଭି‌ଯୋଗ ଅନୁଯାୟୀ, ଏହି ଶିକ୍ଷକମାନେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରନ୍ତି। ମାତ୍ର ୨୦୧୦ ମସିହାରୁ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। କିନ୍ତୁ ସେମାନେ ଦରମା ନେଉଛନ୍ତି।