ନୂପୁର ଶର୍ମା ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ବିଧାନସଭାରେ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ଗୃହ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ପରେ ସ୍ୱାଭାବିକ୍ ଚାଲିଥିଲା ଗୃହକାର୍ଯ୍ୟ । ହେଲେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଗୃହରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଥିଲା । ନୂପୁରୁ ଶର୍ମାଙ୍କ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ କଂଗ୍ରେସ ବିଜେପି ।

ଗୃହରେ ନିଜ ନିଜର ଆସନରେ ଛିଡ଼ା ହୋଇ ନାରବାଜି କରିଥିଲେ କଂଗ୍ରେସ ଓ ବିଜେପିର ସଦସ୍ୟ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ନୂପୁର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଡ । ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି ।

ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ଏହାକୁ ନେଇ ଗୃହରେ ତମ୍ୱିତୋଫାନ ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ଗୃହ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି । ଏହାକୁ ଦୃଷ୍ଟିରେ ରଖି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।