ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ବର ଜିଲ୍ଲା ସୋର ଥାନା ମଣିପୁର ପଂଚାୟତ ଛତରା ବାଘମରା ଗ୍ରାମର ଜଣେ ମହିଳା ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବାପ ଘର ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗ୍ରାମର ଭରତ ଗିରିଙ୍କ ସହିତ ବାହାନଗା ବ୍ଲକ ଆରୁହାବାଡ଼ ପଂଚାୟତ ଦୋଳପୁର ଗ୍ରାମର ସୁଲୋଚନା ଦାସଙ୍କର ୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। ଅନେକ ସମୟରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସୁଲୋଚନା ଶୋଉଥିବା ଘର ଗଡା଼ଣରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

ଏନେଇ ତାଙ୍କ ବାପ ଘରକୁ ଖବର ଦେବା ପରେ ବାପ ଘର ଲୋକେ ଘଟଣାସ୍ଥଳରେ ପହଂଚି ଝିଅର ମୁହଁ ଓ ନାକ ଛିଡିଯାଇ ରକ୍ତ ବାହାରୁଥିବାରୁ ତାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ। ଖବର ପାଇ ସୋର ପୁଲସ ଘଟଣାସ୍ଥଳରେ ପହଞ୍ଚି ଆଜି ମଧ୍ୟାହ୍ନରେ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ସୋର ଡକ୍ତରଖାନାକୁ ଆଣିଥିବା ବେଳେ ସୁଲୋଚନାଙ୍କ ଭାଇ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋର ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଛି।