ସ୍ବାସ୍ଥ୍ୟାନୁଷ୍ଠାନରେ ଡାଏଗ୍ନୋଷ୍ଟିକ୍‌ ପରୀକ୍ଷା ସଂଖ୍ୟା ବଢ଼ିଲା

ରାଜ୍ୟରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷାକୁ ସଂପ୍ରସାରଣ କରାଯାଇଛି। ‘ନିଦାନ’ ଅଧୀନରେ ବିଭିନ୍ନ ସ୍ବାସ୍ଥ୍ୟାନୁଷ୍ଠାନରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ସଂଖ୍ୟାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ତେବେ ମେଡିକାଲ କଲେଜଗୁଡ଼ିକରେ ୨୨୧ ପ୍ରକାରର ପରୀକ୍ଷା ପୂର୍ବଭଳି ଜାରି ରହିବ। ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରୋଗୀଙ୍କ ଡାଏଗ୍ନୋଷ୍ଟିକ ପରୀକ୍ଷା କ୍ଷେତ୍ରରେ ପକେଟ ବାହାର ଖର୍ଚ୍ଚକୁ ରୋକିବା ଲାଗି ରାଜ୍ୟ ସରକାର ହାଇଏଣ୍ଡ( ଉନ୍ନତ ପରୀକ୍ଷା)କୁ ପିପିପି ମୋଡରେ କାର୍ଯ୍ୟକାରୀ କରୁଛନ୍ତି। ଏକ୍ସ-ରେ, ଏମ୍‌ଆରଆଇ ଓ ସିଟି-ସ୍କାନ୍ ଭଳି ‌ସୁବିଧା ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଉପଲବ୍ଧ ହେଉଛି। ୨୦୧୮ ମସିହାରୁ ଏହା କାର୍ଯ୍ୟକାରୀ କରାଯାଇଛି। ତେବେ ରାଜ୍ୟ ସରକାର ଏହି ନିର୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ଏଣକି ସବ୍‌ସେଣ୍ଟରରେ ୧୬ ପ୍ରକାର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ରେ ୬୫, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ରେ ୧୦୩, ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ୧୨୧ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪୫ ପ୍ରକାରର ଡାଏଗ୍ନୋଷ୍ଟିକ୍ ପରୀକ୍ଷା ଉପଲବ୍ଧ ହେବ। ତେବେ ରୋଗୀଙ୍କ ସଂଖ୍ୟା ଓ ରୋଗକୁ ଦେଖି ଏହି ତାଲିକାରେ ସଂଶୋଧନ କରାଯାଇପାରିବ।