ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଆଶିଷ କୁମାର ତ୍ରିପାଠୀ ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା ଅନ୍ତର୍ଗତ କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ (୩୮)କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସିର ଦଫା ୩୦୨ରେ ଆଜୀବନ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି।

ସ୍ବାମୀ ଟୁଟୁ ଓରଫ କାଳିଆ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ରଘୁନାଥଜୀଉ ଗ୍ରାମର ଫକିର ଚରଣ ବାରିକଙ୍କ କନ୍ୟା ଗୌରୀଲତାଙ୍କୁ ୨୦୧୪ ମସିହା ଅକ୍ଟୋବର ମାସରେ ବିବାହ କରିଥିଲା। ବିବାହ ସମୟରେ କନ୍ୟାପିତା ପରିବାର ତରଫରୁ ନଗଦ ୫୦୦୦୦ ଟଙ୍କା ସହ ସମସ୍ତ ଘର କରଣା ଜିନିଷ, ଗହଣା ଯୌତୁକ ଆକାରରେ ଦିଆ ଯାଇଥିଲା।

କିନ୍ତୁ ବିବାହର ମାତ୍ର ୮ ମାସ ପରେ ପୁଣି ଅଧିକ ଯୌତୁକ ଦାବି କରି ଗୌରିଲତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ସହ ମାରଧର କରୁଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀ ଗତ ୨୦୧୫ ମସିହା  ଏପ୍ରିଲ ୯ ତାରିଖ ନିଜ ବେଡରୁମରେ ରାତିରେ ଶୋଇଥିଲେ। ଏତିକି ବେଳେ କାଳିଆ ନିଜର ସ୍ତ୍ରୀ ଗୌରିମଣୀକୁ ମାଡମାରି ଏକ ପ୍ଲାଷ୍ଟିକ ଦଉଡ଼ିରେ ଚାପି ଜୀବନରୁ ମାରି ଦେଇଥିଲା।