ବିଜେବି କଲେଜରେ ପୁଣି ଅଶାନ୍ତି

ରାଜ୍ୟର ରାଜଧାନୀ ଭୁବନେଶ୍ବରର ପୁରାତନ ଓ ପ୍ରତିଷ୍ଠିତ କଲେଜ ‘ବକ୍ସି ଜଗବନ୍ଧୁ ବିନାୟକ ସ୍ବୟଂଶାସିତ ମହାବିଦ୍ୟାଳୟ’ରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖାଯାଇଛି। ବିଜେବି କଲେଜ ପରିସରରେ ଶନିବାର ପୁଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ୩ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବିଜେବି କଲେଜର ଆମ୍ବେଦକର ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଏହି ମହାଭାରତ ହୋଇଥିଲା। ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ଖେଳିବା ପାଇଁ ସେଠାକୁ ଆସିଥିଲେ। ଅଣଛାତ୍ରମାନେ ମଧ୍ୟ ଛାତ୍ରମାନଙ୍କ ସହିତ କ୍ରିକେଟ ଖେଳିବାକୁ କହିଥିଲେ। କିନ୍ତୁ ବିଜେବି କଲେଜର ଛାତ୍ରମାନେ ମନା କରିବାରୁ ସେମାନଙ୍କ ସହିତ ଅଣଛାତ୍ରମାନେ ଗଣ୍ଡଗୋଳ କରିଥିଲେ। ଏହି ଘଟଣାରେ ବଡ଼ଗଡ଼ ପୁଲିସ କିଛି ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।