୪୦ ଡିଗ୍ରୀ ଟପିବ ତାପମାତ୍ରା : ଆଇଏମଡିର ସୂଚନା
ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ।
ବର୍ଷା ଓ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଗୁରୁବାର ସକାଳ ୯ଟା ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ୩୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ ଡି)ର ଆଞ୍ଚଳିକ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି ଯେ, ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଉପରେ ରହିପାରେ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ।
ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଓ ବଜ୍ରପାତ ପାଇଁ ଗୁରୁବାର ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଚଳିତ ସପ୍ତାହରେ କେରଳ ଓ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାକ୍ ମୌସୁମୀ ଯୋଗୁଁ ତାପମାତ୍ରା ହ୍ରାସ ପାଇବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ତେବେ ଜୁନ୍ ୧୦ ପୂର୍ବରୁ ଓଡ଼ିଶାରେ ତାପମାତ୍ରା କମିବାର ସମ୍ଭାବନା ନାହିଁ।