ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲଙ୍କ ନୂଆ ପାସପୋର୍ଟ ଆବେଦନକୁ ମଞ୍ଜୁର କଲେ ଦିଲ୍ଲୀ କୋର୍ଟ

ସାଧାରଣ ପାସପୋର୍ଟ ପ୍ରଦାନ ପାଇଁ ଏନ୍ଓସି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି କରିଥିବା ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଅନୁମୋଦନ କରିଛନ୍ତି।

୩ ବର୍ଷ ପାଇଁ ସାଧାରଣ ପାସପୋର୍ଟ ପ୍ରଦାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଏନ୍ଓସି ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଲୀ: ସାଧାରଣ ପାସପୋର୍ଟ ପ୍ରଦାନ ପାଇଁ ଏନ୍ଓସି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି କରିଥିବା ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଅନୁମୋଦନ କରିଛନ୍ତି। ତେବେ ରାଉଜ୍ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ବୈଭବ ମେହେଟ୍ଟା ନିର୍ଦ୍ଦେଶ ଦେଇଛନ୍ତି ଯେ ପାସପୋର୍ଟ ସଂକ୍ରାନ୍ତ ଏନ୍ଓସି ମାତ୍ର ୩ ବର୍ଷ ପାଇଁ ବୈଧ ହେବ।

ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ହେବା ପରେ ନିଜ କୂଟନୈତିକ ଯାତ୍ରା ଦସ୍ତାବିଜ କୁ ସମର୍ପଣ କରିବା ପରେ ନୂଆ ‘ସାଧାରଣ’ ପାସପୋର୍ଟ ପାଇବା ପାଇଁ ରାହୁଲ ମଙ୍ଗଳବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ରାହୁଲଙ୍କ ଆବେଦନକୁ ବିରୋଧ କରି କହିଥିଲେ ଯେ ଯଦି କଂଗ୍ରେସ ନେତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯାଏ, ତେବେ ଏହା ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତରେ ବାଧା ସୃଷ୍ଟି କରିପାରେ। ରାହୁଲ, ତାଙ୍କ ମା’ ସୋନିଆ ଗାନ୍ଧି, ସେମାନଙ୍କ କମ୍ପାନି ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସ୍ୱାମୀ ଏହି ମାମଲା ରୁଜୁ କରିଥିଲେ। ସ୍ୱାମୀ ଶୁକ୍ରବାର କୋର୍ଟଙ୍କୁ କହିଛନ୍ତି ଯେ ଗାନ୍ଧୀ ନିଜକୁ ବ୍ରିଟିଶ ନାଗରିକ ଘୋଷଣା କରିଥିବା ବିଷୟରେ ବ୍ରିଟେନର ଜଣେ ଅଧିକାରୀ ତାଙ୍କୁ କହିଥିଲେ, ତେଣୁ ଭାରତୀୟ ଆଇନ ଅନୁଯାୟୀ ତାଙ୍କ ଭାରତୀୟ ନାଗରିକତା ରଦ୍ଦ କରାଯାଉ। ମୁଁ ନିକଟରେ ବ୍ରିଟେନରେ ଥିଲି ଏବଂ ସେଠାରେ ଜଣେ ଅଧିକାରୀ ମୋତେ କହିଥିଲେ ଯେ ଗାନ୍ଧୀ ନିଜକୁ ବ୍ରିଟିଶ ନାଗରିକ ବୋଲି ଘୋଷଣା କରିଛନ୍ତି। ଭାରତୀୟ ଆଇନ ଅନୁଯାୟୀ ତାଙ୍କ ଭାରତୀୟ ନାଗରିକତାକୁ ସିଧାସଳଖ ବାତିଲ କରାଯିବା ଉଚିତ।
ସୂଚନାଯୋଗ୍ୟ ଯେ, ବିବାଦୀୟ ମନ୍ତବ୍ୟ ‘ସମସ୍ତ ଚୋରଙ୍କର ମୋଦି ଉପନାମ ରହିଛି’ ମାମଲାରେ ଗୁଜରାଟ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାହୁଲ ଗାନ୍ଧୀ ସଂସଦ ସଦସ୍ୟ (ସାଂସଦ) ପଦରୁ ଅଯୋଗ୍ୟ ଘୋଷଣା ହେବା ପରେ ନିଜର କୂଟନୈତିକ ପାସପୋର୍ଟ ସମର୍ପଣ କରିଥିଲେ। ପାସପୋର୍ଟର ମୌଳିକ ଅଧିକାର ନାହିଁ ଏବଂ ୧୦ ବର୍ଷ ପାଇଁ ପାସପୋର୍ଟ ଦେବାର କୌଣସି ବୈଧ କାରଣ ନାହିଁ ବୋଲି ସ୍ୱାମୀ ଆବେଦନକୁ ବିରୋଧ କରିଥିଲେ।
ଗାନ୍ଧୀଙ୍କୁ ସମର୍ଥନ କରି ଆଇନଜୀବୀ ତରନୁମ୍ ଚିମା କହିଛନ୍ତି ଯେ ଗମ୍ଭୀର ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପାସପୋର୍ଟ ପ୍ରଦାନ କରାଯାଇଛି। “୧୦ ବର୍ଷ ନିତିଦିନିଆ କଥା ଭାବେ ଦିଆଯାଏ । ନାଗରିକତା ପ୍ରସଙ୍ଗରେ ପ୍ରଥମତଃ ସେ ଯେଉଁ ଦସ୍ତାବିଜ ଯୋଡ଼ିଛନ୍ତି ତାହା ଅପରାଧିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ୨୦୧୯ ପରଠାରୁ ଆମେ ମନ୍ତ୍ରଣାଳୟଠାରୁ କିଛି ଶୁଣିନାହୁଁ। ଗମ୍ଭୀର ଅପରାଧରେ ସମ୍ପୃକ୍ତ ଥିବା ଲୋକଙ୍କୁ ୧୦ ବର୍ଷ ପାଇଁ ପାସପୋର୍ଟ ପ୍ରଦାନ କରାଯାଇଛି। ଏଥିରେ ୨ଜି ଓ ଅନ୍ୟାନ୍ୟ ମାମଲା ରହିଛି ବୋଲି ଚିମା କହିଛନ୍ତି। ଯାହାର ଉତ୍ତରରେ ସ୍ୱାମୀ କହିଛନ୍ତି ଯେ ଯଦି ଅତୀତରେ କିଛି ଭୁଲ ଘଟିଛି, ତେବେ ଏହାକୁ ଉଦାହରଣ ଦିଆଯିବା ଉଚିତ ନୁହେଁ।

ଏହା ପୂର୍ବରୁ ଗାନ୍ଧୀଙ୍କ ଓକିଲ ଅଦାଲତଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନାହିଁ ଏବଂ ତେଣୁ ତାଙ୍କୁ ଏନଓସି ଦିଆଯାଇପାରେ। ୨୦୧୨ ନଭେମ୍ବର ପହିଲାରେ ସ୍ୱାମୀ ଅଦାଲତରେ ଅଭିଯୋଗ କରିଥିଲେ ଯେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସେମାନଙ୍କ ମାଲିକାନାରେ ଥିବା ଘରୋଇ କମ୍ପାନି ୟଙ୍ଗ୍ ଇଣ୍ଡିଆନ୍ ଜରିଆରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍) ନାମକ ଏକ ପବ୍ଲିକ୍ ଲିମିଟେଡ୍ କମ୍ପାନିକୁ ଅଧିଗ୍ରହଣ କରି ୧୬ ବିଲିୟନ ଟଙ୍କାର ଠକେଇ ଓ ଜମି ହଡ଼ପ କରିଛନ୍ତି। ୨୦୧୫ ଡିସେମ୍ବର ୧୯ତାରିଖରେ କୋର୍ଟ ଏହି ମାମଲାରେ ଗାନ୍ଧୀ ଓ ଅନ୍ୟମାନଙ୍କୁ ଜାମିନ ପ୍ରଦାନ କରିଥିଲେ।